ନୂଆଦିଲ୍ଲୀ,୨।୭: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ଓ ମେ’ରେ ଦେଶରେ କରୋନା ଆତଙ୍କ ଖେଳାଇବା ପରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି। କରୋନା ପିକ୍ରେ ରହିବା ପରେ ଏବେ ସକ୍ରିୟ ମାମଲା ୮୬ ପ୍ରତିଶତ ତଳକୁ ଖସିଛି। ଏଥିସହ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେ’୩ରେ ସୁସ୍ଥ ସଂଖ୍ୟା ୮୧.୧ ପ୍ରତିଶତ ରହିଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୯୧ ପ୍ରତିଶତରେ ପହଞ୍ଚିଛି। ସେହିପରି ଗତ ସପ୍ତାହ ତୁଳନାରେ ଏବେ କରୋନା ସକ୍ରିୟ ମାମଲା ୧୩ ପ୍ରତିଶତ ହ୍ରାସ ଘଟିଥିବା ରେକର୍ଡ କରାଯାଇଛି। ତେବେ ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣର ନୂଆ ମାମଲା ୪୬ହଜାର ରହିଛି ବୋଲି ଲଭ୍ ଅଗ୍ରଓ୍ବାଲ କହିଛନ୍ତି।