କମୁଛି ଜଳକା : ଦୁର୍ଦ୍ଦଶାରେ ୪୧ ଗାଁ ବାସିନ୍ଦା

ବସ୍ତା/ରୂପ୍‌ସା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ବୁଧବାର ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଗୁରୁବାର ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଥିଲେ ହେଁ ବୁଧବାର ଅପେକ୍ଷାକୃତ ହ୍ରାସ ପାଇଥିବାରୁ ବନ୍ୟା ଆଶଙ୍କା ନାହିଁ। ବସ୍ତା ବ୍ଲକର ମଥାନୀଠାରେ ଜଳକା ବିପଦସଂକେତ ୫.୫ ମିଟର ଥିବାବେଳେ ବୁଧବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳସ୍ତର ୭.୩୧ ମିଟରରେ ପ୍ରବାହିତ ହେଉଥିଲା। ରାତି ୮ଟାରେ ୬.୯୦ ମିଟର ଥିଲା। ଗୁରୁବାର ସକାଳେ ଜଳସ୍ତର ୬.୬୯ ରେ ପହଞ୍ଚତ୍ଥିଲେ ମଧ୍ୟ ରାତି ୮ଟା ସୁଦ୍ଧା ଜଳସ୍ତର ପୁଣି ହ୍ରାସ ହୋଇ ୬.୪୮ ମିଟରରେ ପ୍ରବାହିତ ହେଉଥିବା ଜଳସେଚନ କନିଷ୍ଠଯନ୍ତ୍ରୀ ଅଶୋକ କୁମାର ଦାସ କହିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ, ବିଡ଼ିଓ ଜ୍ଞାନରଞ୍ଜନ ସାହୁ, ଜଳସେଚନ ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ଅପରପକ୍ଷରେ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ ପହଞ୍ଚତ୍ ପାଣିଘେରରେ ଥିବା ଲୋକ, ଗୃହପାଳିତ ପ୍ରାଣୀ, ଆସବାବପତ୍ରକୁ ଉଦ୍ଧାର କରିଥିଲେ।
ବନ୍ୟା ପାଇଁ ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ ୩୦ଘଣ୍ଟାର ବ୍ୟବଧାନ ପରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇଛି। ବନ୍ୟାପାଣି ସମ୍ପୂର୍ଣ୍ଣ ଛାଡି ନ ଥିବାରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଯୋଗୁ ୧୫ ପଞ୍ଚାୟତର ୭୬ ଗ୍ରାମ ପ୍ରଭାବିତ ହୋଇଥିବା କୁହାଯାଇଛି। ଦ୍ୱିତୀୟ ଦିନରେ ୪୧ ଗ୍ରାମ ଏବେବି ପାଣିଘେରରେ ରହିଥିବା ବେଳେ ଅନେକ ଗ୍ରାମ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଏହି ୪୧ପଞ୍ଚାୟତର ୭୪,୫୭୨ଜଣ ଲୋକେ ଏବେବି ପାଣିଘେରରେ ରହିଛନ୍ତି। ୪୮,୧୭୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ବୁଧବାର ବିଭିନ୍ନ ପଞ୍ଚାୟତର ୧୭ଟି ଅସ୍ଥାୟୀ ସେଣ୍ଟରରେ ୨୯୦୪ଜଣ ଲୋକଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଇଛି। ଗୁରୁବାର ୧୦ଟି ସେଣ୍ଟରରେ ୨୫୬୯ଜଣ ଲୋକଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି। ସେହିପରି ୩୮କୁଇଣ୍ଟାଲ ଗୋଖାଦ୍ୟ ବିଭିନ୍ନ ପଞ୍ଚାୟତକୁ ଦିଆଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ବସ୍ତା ତହସିଲ ପକ୍ଷରୁ ସର୍ଭେ କରାଯାଇ ୪୦ରୁ ଊର୍ଦ୍ଧ୍ୱ ଘର ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଥିବା ବେଳେ ୫୦ଜଣଙ୍କୁ ଟାର୍ପୋଲିନ ବଣ୍ଟନ କରାଯାଇଥିବା ତହସିଲଦାର କାର୍ତ୍ତିକଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ବନ୍ୟାଜଳ ଛାଡି ନ ଥିବା ଯୋଗୁ କ୍ଷୟକ୍ଷତିରେ ଆକଳନ କରିବା କଷ୍ଟସାଧ୍ୟ ହେଉଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି। ଲଗାତର ଦୁଇଥର ବନ୍ୟା ଯୋଗୁ ଖରିଫ ଧାନଚାଷ ସହିତ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବସ୍ତା କୃଷିବିଭାଗ ସୂଚନା ଅନୁଯାୟୀ ଏବେ ୪ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମିରେ ବନ୍ୟାଜଳ ମାଡିଯାଇଛି।

Share