କମୁଛି ଜଳସ୍ତର, ବର୍ଷାଜଳ ସଞ୍ଚୟ ନିର୍ଦ୍ଦେଶ

କେସିଙ୍ଗା,୨୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବର୍ଷାଜଳ ସଞ୍ଚୟ କରିବାକୁ ଜିଲାପାଳ ଡ. ଗାଭଳି ପରାଗ ହର୍ଷଦ କେସିଙ୍ଗା ଏନ୍‌ଏସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏନ୍‌ଏସିର ୧୨ଟି ଓ୍ବାର୍ଡରେ ୧୦୦ଟି ସୋ ପିଟ ନିର୍ମାଣ କରିବା ପାଇଁ ସହରର ୩୧ଟି ମିଶନ ଶକ୍ତିକୁ ଆଦେଶନାମା ପ୍ରଦାନ କରିଛନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ସମ୍ପ୍ରତି ଭୂପୃଷ୍ଠକୁରୁ ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ବର୍ଷାଜଳକୁ ବର୍ତ୍ତମାନଠାରୁ ସଞ୍ଚୟ କରିବା ପାଇଁ ମୁକ୍ତା ଯୋଜନାରେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଭବିଷ୍ୟତରେ ଜଳକଷ୍ଟ ଦୂର ପାଇଁ ଆଗାମୀ ପିଢ଼ି ନିମନ୍ତେ ସମସ୍ତେ ବର୍ଷାଜଳ ସଂରକ୍ଷଣ କରିବାକୁ ଜିଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ଜୁନ ୧୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟରେ କେସିଙ୍ଗା ସହରର ୧୨ଟି ଓ୍ବାର୍ଡରେ ୧୦୦ଟି ବର୍ଷାଜଳ ସଂରକ୍ଷଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସୋ ପିଟ୍‌ ନିର୍ମାଣ କାମ ଚାଲିଛି। ଏଥି ମଧ୍ୟରୁ ୧୦ଟି ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କିରଣ ବେହେରା ପ୍ରକାଶ କରିଛନ୍ତି। ଏହି ଯୋଜନାକୁ ତ୍ୱରାନ୍ବିତ କରିବାକୁ କେସିଙ୍ଗା ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ, ମୁକ୍ତା ଟିମ୍‌
ପ୍ରୋଗ୍ରାମ କୋ-ଅଡିନେଟର ଅଭିଜିତ୍‌ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ମାରାଣ୍ଡି ବାବୁଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଯୋଜନା ନିର୍ମାଣ ପାଇଁ ଗତ ଏପ୍ରିଲରୁ ଆରମ୍ଭ କରାଯାଇଛି। ଆସନ୍ତା ଜୁନ୍‌ ୧୦ରେ ୧୦୦ଟି ସୋ ପିଟ୍‌ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୭ରେ ନିର୍ମାଣାଧୀନ ବେଳେ ଜିଲାପାଳ ଏବଂ ପିଡିଡିଆରଡିଏ ସୋମେଶ ଉପାଧ୍ୟାୟ ପରିଦର୍ଶନ ପୂର୍ବକ କାର୍ଯ୍ୟ ତଦାରଖ କରିଥିଲେ।