‘୩ ମାସରେ କମିବ’

ପୁଣେ,୧୦।୧: ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ଭାରତରେ ଯେଉଁଭଳି ଦ୍ରୁତବେଗରେ ସଂକ୍ରମଣ ବଢ଼ିଚାଲିଛି, ସେହିପରି ଶୀଘ୍ର ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗତ ୫ ସପ୍ତାହର ବିଶ୍ୱ ସଂକ୍ରମଣ ତଥ୍ୟ ଏବଂ ଅଭିଜ୍ଞତାରୁ ଜଣାପଡ଼ିଛି ଯେ, ଓମିକ୍ରନ୍‌ ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଛି। ଯେଉଁ କେତେଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ସେମାନଙ୍କର ବହୁବିଧ ରୋଗ ରହିଛି କିମ୍ବା ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ। ଓମିକ୍ରନ୍‌ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ହାର ୧ରୁ ୨ ପ୍ରତିଶତ ମଧ୍ୟରେ ରହିଛି, ଯାହା ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ ତୁଳନାରେ ବହୁତ କମ୍‌ ବୋଲି ଟିକାକରଣ ପାଇଁ ଜାତୀୟ ବୈଷୟିକ ଉପଦେଷ୍ଟା ଗୋଷ୍ଠୀର ଅଧ୍ୟକ୍ଷ ଡ. ଏନ୍‌.କେ. ଆରୋରା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ସାବାଳକ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଏବଂ ୬୬ ପ୍ରତିଶତରୁ ଅଧିକ ଦ୍ୱିତୀୟ ଡୋଜ୍‌ ନେଇସାରିଲେଣି। ତେଣୁ ଏବେ ବଢ଼ୁଥିବା ସଂକ୍ରମଣ ବେଶୀଦିନ ରହିବ ନାହିଁ ବୋଲି ଡ. ଆରୋରା କହିଛନ୍ତି। ୫୦ ପ୍ରତିଶତରୁ ଅଧିକ ସଂକ୍ରମଣ ଭାରତର ବୃହତ୍‌ ସହରଗୁଡ଼ିକରେ ହେଉଛି। ୩ ମାସ ମଧ୍ୟରେ ସଂକ୍ରମଣ ହ୍ରାସ ପାଇବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ଅତିରିକ୍ତ ମହାନିର୍ଦ୍ଦେଶକ ଡ. ସମିରନ୍‌ ପଣ୍ଡା କହିଛନ୍ତି।

Share