ସବୁଥିରେ ଅଧୋଗତି

ଆକାର ପଟେଲ

୨୦୧୫ରେ ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତର ସ୍ଥାନ ୫୫ ଥିଲା । ୨୦୨୦ରେ ୩୯ଟି ସ୍ଥାନ ତଳକୁ ଖସି ରହିଲା ୯୪ରେ। ଫଳରେ ପାକିସ୍ତାନ, ବାଂଲାଦେଶ ଓ ନେପାଳ ପଛକୁ ଚାଲିଗଲା ଭାରତ। ଏହି ସୂଚକାଙ୍କ କୁପୋଷଣ, ପିଲାଙ୍କ ବୟସ ଅନୁଯାୟୀ ଉଚ୍ଚତା,ବୟସ ଅନୁସାରେ କମ୍‌ ଓଜନ ଏବଂ ୫ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ଘଟୁଥିବା ପିଲାଙ୍କ ସଂଖ୍ୟା ଉପରେ ସଂଗୃହୀତ ତଥ୍ୟକୁ ଅନୁଧ୍ୟାନ କରି ପ୍ରସ୍ତୁତ କରାଯାଇଥାଏ। ପ୍ରାୟ ବିଶ୍ୱ ବ୍ୟାଙ୍କ୍‌ ଓ ଜାତିସଂଘ ସହିତ ଜଡ଼ିତ ସଂସ୍ଥାଗୁଡ଼ିକ ଦ୍ୱାରା ସଂଗୃହୀତ ଉକ୍ତ ତଥ୍ୟକୁ ସେତେବେଳେ ସରକାର ଗ୍ରହଣ କଲେ ନାହିଁ। ସଂସଦରେ ସରକାର ତାଙ୍କ ସଫଳତା ସପକ୍ଷରେ ଅଜବ ଯୁକ୍ତି ଉପସ୍ଥାପନ କଲେ। କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଲେ, ଆମେ ଏଭଳି ରିପୋର୍ଟ ପ୍ରତି ଏତେ ସମ୍ବେଦନଶୀଳ ହେବା ଉଚିତ ନୁହେଁ। ଏହିସବୁ ସର୍ଭେରେ ସୁସ୍ଥ ଏବଂ ବଳିଷ୍ଠ ପିଲାଙ୍କ ସଂଖ୍ୟା ଗଣନା କରାଯାଉଥିବାରୁ ଏ ସମ୍ପର୍କରେ ସମାଜରେ ସଚେତନାତା ରହିବା ଆବଶ୍ୟକ। ସେଥିପାଇଁ ଆମ ମନ୍ତ୍ରୀ ସ୍ମୃତି ଇରାନି ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଏବଂ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିସାରିଛନ୍ତି ବୋଲି ରୁପାଲା କହିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ଉକ୍ତ ସୂଚକାଙ୍କରେ ଭାରତ ଆଉ ୭ଟି ସ୍ଥାନ ତଳକୁ ଖସି ୧୦୧ରେ ରହିଛି। କେବଳ ଆଫଗାନିସ୍ତାନ, ସୋମାଲିଆ, ୟେମେନ ଏବଂ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ଭଳି ୧୫ଟି ଦେଶ ଭାରତଠାରୁ ଖରାପ ସ୍ଥିତିରେ ରହିଛନ୍ତି। ଏଥର ବି ସରକାର ଏହାକୁ ମିଥ୍ୟା ପ୍ରମାଣ କରିବାକୁ ଆଗେଇ ଆସିଛନ୍ତି। କହିଛନ୍ତି ଯେ, ଭାରତୀୟଙ୍କ କୁପୋଷଣ ଅନୁପାତ ୧୪%ରୁ ଅଳ୍ପ ବୃଦ୍ଧି ପାଇ ୧୫.୩% ହୋଇଛି। କୋଭିଡ୍‌ ମହାମାରୀ ସମୟରେ ଦେଶର ସବୁ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପଦକ୍ଷେପକୁ ଏହି ରିପୋର୍ଟ ସମ୍ପୂର୍ଣ୍ଣ ଅଣଦେଖା କରିବା ସହ ଉପଲବ୍ଧ ପ୍ରମାଣଯୋଗ୍ୟ ତଥ୍ୟକୁ ମଧ୍ୟ ଏହା ଉପେକ୍ଷା କରିଥିବା ସରକାର ଦର୍ଶାଇଛନ୍ତି। ସରକାର ହୁଅନ୍ତୁ ବା ଅନ୍ୟ ଉତ୍ସଗୁଡ଼ିକରୁ ଲୋକମାନେ ଖାଦ୍ୟ ସହାୟତା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଗୋଟିଏ ହେଲେ ବି ପ୍ରଶ୍ନ ଜନମତ ସର୍ଭେରେ ରହିନାହିଁ। ସରକାର ଯୁକ୍ତି ବାଢିଛନ୍ତି,ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ପାଇଁ ଏହି ଜନମତ ସର୍ଭେର ପ୍ରତିନିଧିମାନଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ସନ୍ଦେହ ଘେରରେ। ସରକାର କହିବାକୁ ଚାହଁୁଛନ୍ତି ଯେ,ମୋଟ ଜନସଂଖ୍ୟାର ୬୦% ବା ୮୦ କୋଟି ଲୋକଙ୍କୁ ୫ କିଲୋ ଚାଉଳ କିମ୍ବା ଗହମ ଏବଂ ଏକ କିଲୋ ଡାଲି ଯୋଗାଇଦେଇ ତାଙ୍କ କାର୍ଯ୍ୟ କରୁଛନ୍ତି। ଏହା ସତ, ହେଲେ ସରକାର ଗତ ବର୍ଷଠାରୁ ଏମିତି କାର୍ଯ୍ୟ କରିଆସୁଛନ୍ତି। ତେବେ କାହିଁକି ମାଗଣା ରାଶନ ନେବା ଲାଗି ଭାରତୀୟମାନେ ଧାଡ଼ି ଲଗାଉଛନ୍ତି। ଏଥିରୁ ବୁଝାପଡ଼ୁଛି, ସେମାନେ ଭୋକିଲା ଅଛନ୍ତି ଓ ଖାଦ୍ୟ ଚାହଁୁଛନ୍ତି।
ଭାରତ ସରକାରଙ୍କ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ୨୦୧୯-୨୦ ପ୍ରକାଶ କରିଛି ଯେ, ଅପପୁଷ୍ଟି ମୁକାବିଲା କ୍ଷେତ୍ରରେ ସେଭଳି ପ୍ରଗତି ହାସଲ କରାଯାଇନାହିଁ। ଆସାମ, ଗୁଜରାଟ, କର୍ନାଟକ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ୨୦୦୫-୦୬ ତୁଳନାରେ ୨୦୧୯-୨୦ରେ ବୟସ ଅନୁସାରେ କମ୍‌ ଓଜନର ଅଧିକ ପ୍ରତିଶତ ପିଲା ରହିଛନ୍ତି। ଅର୍ଥାତ୍‌ ୧୫ ବର୍ଷରେ ଆମ ପ୍ରଗତିର ବାଟ ବନ୍ଦ ହୋଇଯାଇଛି। ସର୍ଭେ କରାଯାଇଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକରେ ୫ ବର୍ଷ ବୟସରୁ କମ୍‌ ପ୍ରତି ୩ ଜଣ ପିଲାରେ ଜଣେ ଲଗାତର ଅପପୁଷ୍ଟିର ଶିକାର ହେଉଛନ୍ତି। ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟଗୁଡ଼ିକ ଉପରେ ସରକାର ସର୍ଭେ କରି ଉକ୍ତ ତଥ୍ୟ ପ୍ରକାଶ କରିଛନ୍ତି। ୧୦ଟି ପ୍ରମୁଖ ରାଜ୍ୟର ତଥ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏହିସବୁ ରାଜ୍ୟରେ ପିଲାଙ୍କ ରକ୍ତହୀନତା ସମସ୍ୟା ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ଅଧିକ ରହିଥିଲା। ଉକ୍ତ ୧୦ ରାଜ୍ୟ ମଧ୍ୟରୁ ୭ଟିରେ ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ବୟସ ଅନୁସାରେ କମ୍‌ ଓଜନର ଅଧିକ ପ୍ରତିଶତ ପିଲା ରହିଥିଲେ। ଏହି ସଙ୍କଟକୁ ଆମକୁ ସ୍ବୀକାର କରିବାକୁ ହେବ ଓ ତା’ଉପରେ କାର୍ଯ୍ୟ କରିବାକୁ ପଡ଼ିବ। ଏହା ଏକ ଜଟିଳ ସମସ୍ୟା ଏବଂ ଏହାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଏନ୍‌ଜିଓଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। କିନ୍ତୁ ଏହା ବଦଳରେ ସରକାର ପ୍ରତ୍ୟେକ ସିଦ୍ଧାନ୍ତ ଉପରେ ସଫେଇ ଦେଇ ପ୍ରକୃତ ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଏଥିରୁ ପ୍ରତୀୟମାନ, ସରକାରଙ୍କ ଅଧଃପତନ ଘଟୁଛି। ଭାରତ ୨୭ରୁ ୨୬ଟି ସ୍ଥାନ ତଳକୁ ଖସି ୫୩ରେ ରହିଥିବା ଯେତେବେଳେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଡେମୋକ୍ରାସି ଇଣ୍ଡେକ୍ସ ପ୍ରକାଶ କରିଥିଲା, ସେତେବେଳେ ସରକାର ଏହାକୁ ଗ୍ରହଣ କରିବାକୁ ସଂସଦରେ ମନା କରିଦେଇଥିଲେ। ଏହାକୁ ଏକ ସାଧାରଣ ପ୍ରସଙ୍ଗ ବୋଲି କହିଥିଲେ। ଗତବର୍ଷ ଆମେରିକାର କମିଶନ ଫର୍‌ ଇଣ୍ଟର୍‌ନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ଅତ୍ୟଧିକ ଧାର୍ମିକ ସ୍ବାଧୀନତା କ୍ଷୁଣ୍ଣ କରୁଥିବା ୧୫ଟି ଦେଶ ମଧ୍ୟରେ ଭାରତ ରହିଥିବା ସୂଚିତ କରିଥିତ୍ଲା। ସରକାର କହିଲେ, ଭାରତ ବିରୋଧରେ ଏଭଳି ପକ୍ଷପାତି ଏବଂ ଉଦ୍ଦେଶ୍ୟମୂଳକ ମନ୍ତବ୍ୟ କିଛି ନୂଆ ନୁହେଁ। ପୁନଶ୍ଚ ଚଳିତ ବର୍ଷ ୟୁଏସ୍‌ସିଆଇଆର୍‌ଏଫ୍‌ ସେହି ସମାନ ସିଦ୍ଧାନ୍ତରେ ପହଞ୍ଚିଛି। ଭାରତରେ ଧାର୍ମିକ ସ୍ବାଧୀନତା ବିପନ୍ନ ହେଉଥିତ୍ବା କହିବା ସହ ଭାରତ ବିରୋଧରେ ଆର୍ଥିକ କଟକଣା ଲଗାଇବା ପାଇଁ ସୁପାରିସ କରିଛି। ଫ୍ରିଡମ୍‌ ହାଉସ୍‌ ମଧ୍ୟ ଭାରତକୁ ପଦାବନତ କରି ‘ସ୍ବାଧୀନ’ ରାଷ୍ଟ୍ରରୁ ଏହାକୁ ‘ଆଂଶିକ ସ୍ବାଧୀନ’ ଦେଶ ଭାବେ ଏବଂ କଶ୍ମୀରକୁ ‘ପୂର୍ଣ୍ଣ ସ୍ବାଧୀନ’ନୁହେଁ, ବରଂ ‘ଆଂଶିକ ସ୍ବାଧୀନ’ ଦର୍ଶାଇଥିଲା। ତେବେ ଫ୍ରିଡମ ହାଉସ୍‌ର ଏଭଳି ରାଜନୈତିକ ବିଚାର ଭୁଲ୍‌ ଏବଂ କିମ୍ଭୁତକିମାକାର ବୋଲି ଭାରତ କହିଲା। କୋଭିଡ୍‌ ୧୯ ସଙ୍କଟରେ ଆମ କାର୍ଯ୍ୟରେ ସାରା ବିଶ୍ୱ ଆମକୁ ପ୍ରଶଂସା କରୁଥିବାବେଳେ ଏହାର ଆକଳନ ସମ୍ପୂର୍ଣ୍ଣ ଅସତ୍ୟ ମନେହୁଏ ବୋଲି ଯୁକ୍ତି ଉପସ୍ଥାପନ କଲା। ପ୍ରତ୍ୟେକ ନୂଆ ରିପୋର୍ଟରୁ ଜଣାପଡ଼େ ଯେ, ସବୁଥିରେ ଅଧୋଗତି ଘଟୁଛି। ୨୦୧୪ରୁ ବହୁ ସୂଚକାଙ୍କରେ ଭାରତ ତଳକୁ ଖସିଛି। ଏସବୁ ପ୍ରସଙ୍ଗରେ ଅନ୍ୟ ଦେଶଗୁଡ଼ିକ ଜଡ଼ିତ ରହି ସମାଧାନ କରିବାକୁ ଚେଷ୍ଟା କରିଥିବାବେଳେ ଆମେ କିଛି କରିନାହଁୁ। ସିଦ୍ଧାନ୍ତଗୁଡ଼ିକ ଭୁଲ୍‌ ବୋଲି କହି ଆମେ କେବଳ ପ୍ରତିକ୍ରିୟା ରଖିଛୁ। ଏ ସରକାର ଅମଳରେ ଭାରତ କିଛି ବି ଭୁଲ୍‌ କରିପାରିବ ନାହିଁ ବୋଲି ଆମର ଯେଉଁ ମାନସିକତା ରହିଛି ସେଥିପାଇଁ ଆମେ ଏଭଳି ପ୍ରତିକ୍ରିୟା ପ୍ରକାଶ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri