ଖରିଫ ଧାନ ବିକ୍ରିରେ କମିଲା ଚାଷୀଙ୍କ ପଞ୍ଜୀକରଣ

ଭଦ୍ରକ, ୪।୯(ସନାତନ ରାଉତ): ଭଦ୍ରକ ଜିଲାରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଶେଷ ହୋଇଛି। ଜିଲାରେ ୧୫୫ ମଣ୍ଡିରେ ୮୩ ହଜାର ୮୬୭ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା ସତ୍ତ୍ୱେ ଚାଷୀ ପଞ୍ଜୀକରଣ ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଗତ ବର୍ଷ ଧାନର ସହାୟକ ମୂଲ୍ୟ ୨୦୪୦ ଟଙ୍କା ଥିଲା।  ଚଳିତ ବର୍ଷ ୧୪୩ ଟଙ୍କା ବୃଦ୍ଧି ହୋଇ ୨୧୮୩ ଟଙ୍କା ସ୍ଥିର ହୋଇଛି। ଗତବର୍ଷ ଜିଲାରେ ୯୧ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏଥର ୭ହଜାର କମିଛି। ଭାଗଚାଷ ବିବାଦ ଓ ଜମି ପ୍ଲଟରେ ଜାଲିଆତି ଧରପଗଡ଼ ଯୋଗୁ ଚାଷୀ ପଞ୍ଜୀକରଣ ହ୍ରାସ ପାଇଥିବା ଜଣାପଡ଼ିଛି।
ଜିଲା ଯୋଗାଣ ବିଭାଗ ସୂଚନା ଅନୁଯାୟୀ, ଚଳିତ ବର୍ଷ ବାସୁଦେବପୁର ବ୍ଲକରେ ସର୍ବାଧିକ ୧୬ ହଜାର ୬୭ ଚାଷୀ ଏବଂ ଧାମନଗରରେ ସର୍ବନିମ୍ନ ୬,୪୯୧ ଚାଷୀ ପଞ୍ଜୀକରଣ କରିଛନ୍ତି। ଭଦ୍ରକ ବ୍ଲକରେ ୧୪ ହଜାର ୨୨୭, ଚାନ୍ଦବାଲିରେ ୧୨,୫୮୧, ବନ୍ତରେ ୧୨,୬୦୩, ଭଣ୍ଡାରିପୋଖରୀରେ ୧୦ ହଜାର ୯୮ ଏବଂ ତିହିଡ଼ିରେ ୧୧, ୮୦୦ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ବର୍ଷ ସରକାରୀ ଧାନ ସଂଗ୍ରହ ପାଇଁ ଜିଲାରେ ୧୦୧ ସମବାୟ ସମିତି ଏବଂ ୫୪ ସ୍ବୟଂ ସହାୟିକା ଗୋଷ୍ଠୀ ପଞ୍ଜୀକୃତ ହୋଇଛନ୍ତି।
Share