ନୂଆଦିଲ୍ଲୀ,୨୪ା୯: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତର ୭ମ ସପ୍ତାହରେ ହ୍ରାସ ଘଟିଛି। ଆର୍ବିଆଇର ସଦ୍ୟ ତଥ୍ୟ ଅନୁସାରେ ସେପ୍ଟେମ୍ବର ୧୬ ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟି ୫୪୫.୬୫୨ ବିଲିୟନ ଡାଲରରେ ପହଞ୍ଚିଛି। ଗତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୫୫୦.୮୭୧ ବିଲିୟନ ଡଲାର ଥିଲା। ସେହିଭଳି ଗତ ୨ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଅପରପକ୍ଷରେ ଡଲାର ତୁଳନାରେ ଭାରତୀୟ ଟଙ୍କା ପ୍ରଥମ ଥର ୮୧ର ସ୍ତର ପାରକରିଛି। ଶୁକ୍ରବାର କାରବାର ସମୟରେ ଟଙ୍କା ଦୁର୍ବଳ ହୋଇ ୮୧.୨୩ ସ୍ତରରେ ପହଞ୍ଚଥିଲା। ତେବେ କାରବାର ବନ୍ଦ ହେବା ସମୟରେ ଏଥିରେ ଅଳ୍ପ ସୁଧାର ଆସିଥିଲା। ଏହାପରେ ୧୯ ପଇସା ହ୍ରାସ ହୋଇ ଡଲାର ପିଛା ୮୦.୯୮ ଟଙ୍କାରେ ବନ୍ଦ ହୋଇଥିଲା। ବିଶ୍ୱର ୬ଟି ମୁଖ୍ୟ ମୁଦ୍ରା ତୁଳନାରେ ଡଲାରର ମଜଭୁତି ଆକଳନ କରୁଥିବା ଡଲାର ସୂଚକାଙ୍କ ୦.୭୨% ବଢ଼ି ୧୧୨.୧୫ରେ ପହଞ୍ଚିଥିଲା। ଆମେରିକାର ଫେଡେରାଲ ରିଜର୍ଭ ଲଗାତର ତୃତୀୟଥର ସୁଧ ହାରରେ ୭୫ ବେସିସ୍ ପଏଣ୍ଟ ବଢ଼ାଇବା କାରଣରୁ ଡଲାର ସ୍ଥିତି ମଜଭୁତ ହୋଇ ରହିଛି।