ଗଞ୍ଜାମ,୫।୨(ଡି.ଏନ୍.ଏ.)- ୧୯୮୫ ଲବଣ ଶ୍ରମିକ ଆନ୍ଦୋଳନର କର୍ଣ୍ଣଧାର ତଥା ଗରିବ ଜନସାଧାରଣଙ୍କ ନିଃସର୍ତ୍ତ ସେବା କରି ଆସିଥିବା କମ୍ୟୁନିଷ୍ଟ ପାର୍ଟିର ସାଥୀ କାମରାଜୁ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା। ରବିବାର ସ୍ବର୍ଗତ କାମରାଜୁଙ୍କ ଦ୍ୱାଦଶ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ନୀଳାଦ୍ରିପୁର ବାତ୍ୟା ଆଶ୍ରୟସ୍ଥଳରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ପୂର୍ବତନ ସରପଞ୍ଚ ତଥା ସିପିଆଇଏମ୍ ଗଞ୍ଜାମ ବ୍ଲକ ଆଞ୍ଚଳିକ କମିଟି ସମ୍ପାଦକ ସାଥୀ ଦିଲ୍ଲୀପ କୁମାର ଛୋଟରାୟ ସଭାପତିତ୍ୱ କରିଥିଲେ। ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା କୃଷକ ନେତା ପି. ହରେକୃଷ୍ଣ ରେଡି, ସିପିଏମ୍ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସିପିଏମ୍ ବରିଷ୍ଠନେତା କୈଳାସ ଷଢଙ୍ଗୀ, କ୍ଷେତ ମଜଦୁର ରାଜ୍ୟ ସମ୍ପାଦକ ବିଦ୍ୟାଧର ଜେନା, ବ୍ଲକ ଶାଖା ସଦସ୍ୟ ବିରଞ୍ଚି ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ l କାମରାଜୁ ସବୁବେଳେ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଭା ପୂର୍ବରୁ ସ୍ବର୍ଗତ କାମରାଜୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଚାରଣ କରାଯାଇଥିଲା।