ଭୀଷଣ ବେଗରେ ମାଡିଆସୁଛି ବାତ୍ୟା ‘ୟାସ୍‌’: ୨୬ ତାରିଖ ମଧ୍ୟାହ୍ନରେ ରଚିବ ତାଣ୍ଡବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଥମେ ଅବପାତ ଓ ପରେ ଗଭୀର ଅବପାତର ରୂପ ନେଇ ଆଗକୁ ମାଡି ଚାଲିଛି। ଘଣ୍ଟାପ୍ରତି ମାତ୍ର ୪ କିମି ବେଗରେ ଗତି କରୁଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫.୩୦ରେ ବାତ୍ୟାର ରୂପ ନେଇଛି। ଏହି ବାତ୍ୟା ୟାସ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ଏହାପରେ ଅତି ଭୀଷଣ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଏହା ପୂର୍ବଭଳି ପୋର୍ଟ ବ୍ଲେୟାର ଠାରୁ ୬୦୦ କିମି, ପାରାଦୀପ ଠାରୁ ୫୪୦ କିମି, ବାଲେଶ୍ୱରଠାରୁ ୬୫୦ କିମି ଓ ପଶ୍ଚିମବଙ୍ଗର ଦିଘାଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ‘ୟାସ୍‌’ ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଓ ଆସନ୍ତା ୨୪ ଘଣ୍ଟା ପରେ ଭୀଷଣ ବାତ୍ୟାର ରୂପ ନେବ। ଏହାର ୨୪ ଘଣ୍ଟା ପରେ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୬ ତାରିଖ ମଧ୍ୟାହ୍ନରେ ୟାସ  ପାରାଦୀପ  ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ପୂର୍ବରୁ ଏହା ସନ୍ଧ୍ୟାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଇଥିଲା। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ୧୮୦ କିମି ମଧ୍ୟ ଛୁଇଁପାରେ। ବାତ୍ୟା ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପ ଓ ମୟୂରଭଞ୍ଜ ଅତି ପ୍ରବଳ ବର୍ଷା ହେବ। ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୭ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Share