ଗଭୀର ଅବପାତ ନେଲା ବାତ୍ୟାର ରୂପ: ରାଡାର ଇମେଜରେ ଦୁଶ୍ୟମାନ ହେଲା ବାତ୍ୟାର ଚିତ୍ର

ଭୁବନେଶ୍ୱର,୨୩।୧୦: ସୃଷ୍ଟି ହେଲା ବାତ୍ୟା। । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି। ଏହା ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।  ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି । ତେବେ ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ ବୁଲେଟିନ୍‌ ଜାରି ହୋଇନି। ଗୁରୁବାର ଏହା ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୩ କିମି ବେଗରେ ଗତି କରୁଛି। ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ। ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ।

ଗୁରୁବାର  ସକାଳେ ହେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ।୨୪ ରାତି ଓ ୨୫ ସକାଳ ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ବୀପ ଭିତରେ ଉପକୂଳ ପାର କରିବ ଭୀଷଣ ବାତ୍ୟା। ତେବେ ଉତ୍ତର ଓଡ଼ିଶାରେ ବାତ୍ୟା ବେଶୀ କୋପ ଦେଖାଇବ। ୭ଟି ଜିଲାରେ ଗୁରୁବାର  ଏବଂ ଶୁକ୍ରବାର ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବେଗରେ ପବନ ବହିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିମି ରହିପାରେ।

ସେହିପରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ରହିପାରେ। ମୟୂରଭଞ୍ଜ ୮୦-୯୦ ଓ ପୁରୀରେ ପବନରେ ବେଗ ରହିପାରେ ୬୦-୮୦ କିଲୋମିଟର।

ସେହିପରି କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି ।ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି। ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।

Share