କେମିତି ଚାଲିଗଲା ଦୀପ ସିଦ୍ଧୁଙ୍କ ଜୀବନ: ପୂରା ଘଟଣା ବଖାଣିଲେ ପ୍ରେମିକା

ପଞ୍ଜାବୀ ଅଭିନେତା-ଗାୟକ ଦୀପ ସିଦ୍ଧୁ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାବେଳେ ତାଙ୍କ ସହ ତାଙ୍କ ପ୍ରେମିକା ରୀନା ରାୟ ମଧ୍ୟ ଥିଲେ। ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରୀନା ଏବଂ ଦୀପ ଏକାଠି ଭାଲେଣ୍ଟାଇନ ଡେ ପାଳନ କରିଥିଲେ। ତାଙ୍କର ଶେଷ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୀପ ପ୍ରେମିକାଙ୍କ ସହ ଦିଲ୍ଲୀରୁ ବଠିଣ୍ଡା ଯାଉଥିଲେ। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସେ ନିଜେ ଏସୟୁଭି କାର ଚଳାଉଥିଲେ। ଏହି ସମୟରେ ତାଙ୍କ କାର କୁଣ୍ଡଲି-ମନେସର-ପାଲୱାଲ ଏକ୍ସପ୍ରେସୱେରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ରୀନା କହିଛନ୍ତି, ଦୁର୍ଘଟଣା ଘଟିବା ପରେ ଦୀପ ସିଦ୍ଧୁ ଆଖି ହରାଇଥିଲେ। ଟ୍ରକ ସହିତ ଧକ୍କା ହେବା ପରେ କାରଟି ପ୍ରାୟ ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଟାଣି ହୋଇଯାଇଥିଲା। ଏହି ସମୟରେ କାରର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଉଭୟଙ୍କୁ ନିକଟସ୍ଥ ଖାର୍କୋଡା ସିଏଚ୍‌ସିକୁ ନିଆଯାଇଥିଲା। ସେଠାରେ ଦୀପଙ୍କୁ ମୃତ ଘୋଷଣା କରାଯାଇଥିଲା। କୃଷକଙ୍କ ଆନ୍ଦୋଳନ ସମୟରେ ଦୀପ ଚର୍ଚ୍ଚାକୁ ଆସିଥିଲେ।
ଭାଲେଣ୍ଟାଇନ୍ସ ଡେ’ର ଭାଇରାଲ ଫଟୋରେ ଦୀପ ଏବଂ ରୀନା ଏକାଠି ନଜର ଆସିଛନ୍ତି। କ୍ୟାପସନ ହାପି ଭାଲେଣ୍ଟାଇନ୍ସ ଡେ। ଏହି ଫଟୋଟି ଦୀପଙ୍କ ଫେବୃଆରୀ ୧୪ର ଇନଷ୍ଟା ଷ୍ଟାଟସ୍‌ ଥିଲା।

Share