ରାଜ୍ୟ କବାଡ଼ି ଦଳରେ ଦୀପା

ରସୁଲପୁର,୧୩ା୬(ଡି.ଏନ.ଏ.): ଯାଜପୁର ଜିଲାର ଅନଗ୍ରସର ଅଞ୍ଚଳ ସୁକିନ୍ଦା ବ୍ଲକର ଝିଅ ଦୀପା ମାଝିଙ୍କୁ ରାଜ୍ୟ କବାଡି ଦଳରେ ସାମିଲ କରାଯାଇଛି ା ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟ ବିଜ୍ଞାନ ସ୍ନାତୋକତର ଦ୍ୱିତୀୟ ବର୍ଷର ଛାତ୍ରୀ ଦୀପା ଜନ ଜାତୀୟ ଖେଳ ମହୋତ୍ସବ-୨୦୨୩ ପାଇଁ ମନୋନୀତ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି ା ଜୁନ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍‌-କିସ୍‌ ଖେଳପଡିଆରେ ଅନୁଷ୍ଠିତ ଖେଳରେ ସେ ଅଂଶ ଗ୍ରହଣ କରିଛନ୍ତି ା ସେ ପ୍ରଶିକ୍ଷଣ ଶିବିରରେ ଉନ୍ନତ ଖେଳ ପ୍ରଦର୍ଶନ କରି ଚୟନ କର୍ତ୍ତାମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ା ତାଙ୍କୁ ରାଜ୍ୟଦଳରେ ସ୍ଥାନ ମିଳିଥିବାରୁ ଦୀପା ଖୁସି ବ୍ୟକ୍ତ କରିଛନ୍ତି ା ତାଙ୍କର ଉପରେ ଚୟନ କର୍ତ୍ତାମାନେ ଆସ୍ଥା ପ୍ରକଟ କରିଥିବାରୁ ସେ ସମସ୍ତ ଅଫିସିଆଲ, କୋଚ, ମ୍ୟାନେଜରଙ୍କୁ କୃତଜ୍ଞତ ଜଣାଇଛନ୍ତି। ସେ ଉନ୍ନତ ଖେଳ ନୈପୁଣ୍ୟତା ପ୍ରଦର୍ଶନ କରି ଦଳ ପାଇଁ ସଫଳତା ଆଣିବେ ବୋଲି ଆଶାବାଦୀ ଅଛନ୍ତି ା
ଯାଜପୁର ଜିଲାର କବାଡି ଦୁର୍ଗ ଭାବେ ପରିଚିତ ଖଣ୍ଡିତର କବାଡି ଷ୍ଟାଡିୟମରେ ସେ ପ୍ରଶିକ୍ଷଣ ଗ୍ରହଣ କରୁଥିଲେ ା ବରିଷ୍ଠ ପ୍ରଶିକ୍ଷକ କୃଷ୍ଣକାନ୍ତ ପଣ୍ଡା ତାଙ୍କର ପ୍ରମୁଖ କୋଚ୍‌ ଥିବା ବେଳେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁଶାନ୍ତ କୁମାର ଦ୍ୱିବେଦୀ ତାଙ୍କୁ ବିଦ୍ୟାଳୟସ୍ତରରୁ କବାଡି ଖେଳ କୌଶଳ ଶିଖାଇବା ସହ ଆଗକୁ ବଢିବାରେ ସହାୟକ ହୋଇଥିଲେ ା ତାକୁ ଆଧାର କରି ସେ ସଫଳତା ହାସଲ କରିଛନ୍ତି ା ସେ ଆଗକୁ ଜାତୀୟ ଦଳରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି ା ତାଙ୍କ ସଫଳତାକୁ ନେଇ ସୁକିନ୍ଦା ବ୍ଲକ ଅଞ୍ଚଳର ସରକାରୀ ଉଚ୍ଚ ବିଦ୍ୟାଳୟ- ଗୋବର ଘାଟି, ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଖଣ୍ଡିତର କବାଡି ଆସୋସିଏଶନରେ ଖୁସିର ଲହରି ଖେଳି ଯାଇଛି ା ତାଙ୍କର ସଫଳତା ପାଇଁ ଜନ୍ମମାଟି ଗର୍ବ ଅନୁଭବ କରୁଛି ା ସେ ଆଗକୁ ଭଲ ଖେଳନ୍ତୁ ବୋଲି ଦୀପାଙ୍କ ସହପାଠୀମାନେ ଆଶାବାଦୀ ଅଛନ୍ତି ା