ନୂଆଦିଲ୍ଲୀ, ୧୫।୭: ଅଲରାଉଣ୍ଡର ଦୀପକ ହୁଡା ଭଦୋଦ୍ରା କ୍ରିକେଟ ଆସୋସିଏଶନ (ବିସିଏ) ଠାରୁ ଦୂରେଇ ଯାଇଛନ୍ତି। ଆଗାମୀ ଘରୋଇ ସିଜନରେ ସେ ରାଜସ୍ଥାନ ପାଇଁ ଖେଳିବେ। ‘ଦୀପକ ଆମକୁ ଯୋଗ ଦେଉଥିବାରୁ ଆମେ ଉତ୍ସାହିତ’ ବୋଲି ରାଜସ୍ଥାନ କ୍ରିକେଟ ଆସୋସିଏଶନ (ଆରସିଏ) ସଭାପତି ବୈଭବ ଗେହଲଟ କହିଛନ୍ତି।
ଗତ ସିଜନ ଅତ୍ୟନ୍ତ ବିବାଦୀୟ ରହିବା ପରେ ଭଦୋଦ୍ରା ଠାରୁ ଦୂରେଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ଗୋଟିଏ ଦିନ ପୂର୍ବରୁ ଦଳୀୟ ବାୟୋ-ବବ୍ଲରୁ ଚାଲିଯାଇଥିଲେ ଏହି ଅଲରାଉଣ୍ଡର। ଦଳର ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।
ଚଳିତ ସିଜନର କଣ୍ଡିଂଶନିଂ କ୍ୟାମ୍ପ ଲାଗି ତାଙ୍କୁ ଚୟନ କରାଯାଇଥିଲା। କିନ୍ତୁ ସେ ଏନ୍ଓସି ପାଇଁ ଅନୁରୋଧ କରିଥିଲେ। ଅନ୍ୟ ଦଳ ପାଇଁ ଖେଳିବାକୁ ତାଙ୍କୁ ଅନୁମତି ଦିଆଯାଇଛି। ତାଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ବୋଲି ବିସିଏ ପକ୍ଷରୁ କୁହାଯାଇଛି।