Categories: ଖେଳ

ଦୀପକ, ହୁସାମୁଦ୍ଦିନ, ନିଶାନ୍ତ ପଦକ ନିଶ୍ଚିତ କଲେ

ତାସକେଣ୍ଟ, ୧୧।୫ (ପି.ଟି.): ବକ୍ସର ଦୀପକ ଭୋରିଆ (୫୧ କେଜି), ମହମ୍ମଦ ହୁସାମୁଦିନ (୫୭ କେଜି) ଓ ନିଶାନ୍ତ ଦେବ (୭୧ କେଜି) ଚଳିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। କୌଣସି ଏକ ବିଶ୍ୱବକ୍ସିଂ ଚାମ୍ପିୟନଶିପ୍‌ ଇତିହାସରେ ଭାରତର ୩ ଜଣ ପଦକ ପକ୍କା କରିବା ଏହା ପ୍ରଥମ। ବକ୍ସିଂ ନିୟମ ଅନୁସାରେ ସେମିଫାଇନାଲରେ ପରାଜିତ ହେଲେ ମଧ୍ୟ ପ୍ରତିଯୋଗୀ ଅତିକମ୍‌ରେ ବ୍ରୋଞ୍ଜ ପଦକ ପାଇବେ। ୨୦୧୯ ଚାମ୍ପିୟନଶିପ୍‌ରେ ଭାରତ ସର୍ବାଧିକ ୨ଟି ପଦକ ପାଇଥିଲା। ଅମିତ ପଙ୍ଘାଲ ରୌପ୍ୟ ଏବଂ ମନିଷ କୌଶିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଫ୍ଲାଇଓ୍ବେଟ କାଟେଗୋରିରେ ଭାରତର ଦୀପକ ପ୍ରଭାବୀ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ କିର୍ଗିଜସ୍ତାନର ନୁର୍‌ଝିଜିଟ୍‌ ଡୁଶେବାଏଭଙ୍କୁ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ପଛୁଆ ରହିବାପରେ ଡୁଶେବାୟେଭ ଦ୍ୱିତୀୟ ରାଉଣ୍ଡରେ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲେ। ମାତ୍ର ଦୀପକ ଦୃଢ଼ ଡିଫେନ୍ସ ସହିତ କାଉଣ୍ଟର ଆଟାକ କରି ସଫଳ ରହିଥିଲେ। ସେମିଫାଇନାଲରେ ଦୀପକ ଫ୍ରାନ୍ସର ବି.ବେନାମାଙ୍କୁ ଶୁକ୍ରବାର ଭେଟିବେ।
ସେହିପରି ୨ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ମେଡାଲିଷ୍ଟ ହୁସାମୁଦ୍ଦିନ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ବୁଲଗେରିଆର ଜେ. ଡିଆଜ ଇବାନେଜ୍‌ଙ୍କୁ ୪-୩ ପଏଣ୍ଟରେ ହରାଇ ଦେଇଥିଲେ। ଦୁଇଜଣଙ୍କ ଫାଇଟ୍‌ ପାଖାପାଖି ଥିବାରୁ ଜଜ୍‌ଙ୍କ ପଏଣ୍ଟ ଭାଗ ହୋଇ ଯାଇଥିଲା। ତେବେ ଶେଷରେ ଭାରତୀୟ ପ୍ରତିଯୋଗୀ ବାଜି ମାରିଥିଲେ। ସେମିଫାଇନାଲରେ କ୍ୟୁବାର ସିଡେଲ ହୋର୍ଟାଙ୍କୁ ଭେଟିବେ। ଅନ୍ୟତମ ଭାରତୀୟ ନିଶାନ୍ତଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ସେ କ୍ୟୁବାର ଜର୍ଜ କୁଇଲାରଙ୍କ ବିପକ୍ଷରେ ନିର୍ବିବାଦୀୟ ନିଷ୍ପତ୍ତିକ୍ରମେ ବିଜୟୀ ହୋଇଥିଲେ। ୨୨ ବର୍ଷୀୟ ଏହି ଜାତୀୟ ଚାମ୍ପିୟନ ଆକ୍ରମଣାତ୍ମକ ଆଭିମୁଖ୍ୟରେ ପୂରା ୯ ମିନିଟଧରି ପ୍ରତିଦ୍ୱନ୍ଦ୍ୱିଙ୍କୁ ପଞ୍ଚ୍‌ ମାରି ଚାଲିଥିଲେ। ଗତଥର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ନିଶାନ୍ତ ସେମିଫାଇନାଲରେ ଏସିଆନ ଚାମ୍ପିୟନ କାଜାଖସ୍ତାନର ଅସଲାନ୍‌ବେକ୍‌ ଶିମ୍ବର୍ଗେନୋଭଙ୍କୁ ଭେଟିବେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ଏପର୍ଯନ୍ତ ଗୋଟିଏ ରୌପ୍ୟ ସହିତ ମୋଟ ୭ଟି ପଦକ ପାଇଛି।

Share