Posted inଜାତୀୟ

ଡିପ୍‌ଫେକ୍‌ ଆତଙ୍କ

ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ଅନେକ ଦୁରୂହ କାର୍ଯ୍ୟକୁ ସହଜ କରିଦେଉଥିବାବେଳେ ଏହାର ଦୁରୁପଯୋଗ ସମଗ୍ର ମାନବଜାତି ପାଇଁ ଅଭିଶାପ ପାଲଟିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି ।
ସାଉଥ୍‌ ବ୍ୟୁଟି ରଶ୍ମିକା ମନ୍ଦାନାଙ୍କ ଲିଫ୍ଟ ଭିଡିଓ ହେଉ ଅଥବା ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଟାଓ୍ବେଲ ସିନ୍‌ ଅତ୍ୟାଧୁନିକ ଟେକ୍ନୋଲୋଜିର ନକାରାମତ୍କ ଦିଗକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ମୁମ୍ବାଇ/ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୮ା୧୧ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ଏଥିରେ ସେ କଳାରଙ୍ଗର ବସ୍ତ୍ର ପରିଧାନ କରି ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବା ମିଳୁଛି। ଯିଏ ଦେଖିଲେ ବି ଧୋକା ଖାଇଯିବେ। ଭାବିବେ ଏହା ସେହି ୨୧ ବର୍ଷୀୟା ‘ପୁଷ୍ପା’ଫେମ୍‌ ରଶ୍ମିକା। କିନ୍ତୁ ବାସ୍ତବରେ ସେ ରଶ୍ମିକା ନୁହନ୍ତି, ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଭିନ୍ନ ଜଣେ ଯୁବତୀ। ସମ୍ପାଦିତ ଭିଡିଓଟିକୁ ଦେଖିବା ପରେ ରଶ୍ମିକା ବିଚଳିତ ହୋଇଯାଇଥିବା ଏବଂ ତାହା ତାଙ୍କୁ କଷ୍ଟ ଦେଇଥିବା ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ସିନେ ଜଗତରେ ହଇଚଇ ସୃଷ୍ଟି କରିଛି। ରଶ୍ମିକାଙ୍କୁ ନେଇ ଭାଇରାଲ୍‌ ଭିଡିଓ ଉପରେ ତାଙ୍କ ‘ଗୁଡ୍‌ବାୟ’ ସହଅଭିନେତା ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ପ୍ରତିକ୍ରିୟା ରଖିଛନ୍ତି। ବିଗ୍‌ ବି ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେବଳ ଅଭିତାଭ ନୁହନ୍ତି, ବହୁ ଲୋକ ଏହାକୁ ଦେଖି ଆଚମ୍ବିତ ହୋଇଯାଇଛନ୍ତି। କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେମାନେ ମତ ରଖିଛନ୍ତି।
ନ୍ନିଡିଓରେ ଦେଖାଯାଉଥିବା ମହିଳା ହେଉଛନ୍ତି ବ୍ରିଟିଶ୍‌-ଭାରତୀୟ ଇନ୍‌ଫ୍ଲୁଏନ୍ସର ଜାରା ପଟେଲ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୪.୫ ଲକ୍ଷ ଅନୁଗାମୀ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନିଜ ବୋଲ୍ଡ କଣ୍ଟେଣ୍ଟ୍ସ ପାଇଁ ସେ ପରିଚିତ। ଜାରା ଉକ୍ତ ଭିଡିଓକୁ ଅକ୍ଟୋବର ୯ରେ ଅପ୍‌ଲୋଡ୍‌ କରିଥିଲେ। ଡିପ୍‌ଫେକ୍‌ ଭିଡିଓରେ ତାଙ୍କ ପରିବର୍ତ୍ତେ ରଶ୍ମିକାଙ୍କ ମୁହଁ କିପରି ଦେଖିବାକୁ ମିଳିଛି ସେ ଜାଣି ନ ଥିବା ଏବଂ ଏହି କାଣ୍ଡରେ ତାଙ୍କ ସମ୍ପୃକ୍ତି ନ ଥିବା ପ୍ରକାଶ କରିଛନ୍ତି। ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଜାରା କହିଛନ୍ତି, ଏହି ଘଟଣା ପରେ ସେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ନିଜ ଫଟୋ ଓ ଭିଡିଓ ପୋଷ୍ଟ କରିବା ସମୟରେ ମହିଳା ଓ ଝିଅମାନଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ।
କେବଳ ରଶ୍ମିକା ନୁହନ୍ତି, ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଡିପ୍‌ଫେକ୍‌ ଟେକ୍ନୋଲୋଜିର ଶିକାର ହୋଇଛନ୍ତି। ‘ଟାଇଗର ୩’ର ଏକ ଭିଡିଓକୁ ଏଡିଟ୍‌ କରି ଭାଇରାଲ କରାଯାଇଛି। ଏଥିରେ କ୍ୟାଟ୍ରିନା ଟାଓ୍ବେଲ ପରିବର୍ତ୍ତେ ଏକ ଲୋ-କଟ୍‌ ହ୍ବାଇଟ୍‌ ଟପ୍‌ ଏବଂ ମ୍ୟାଚିଂ ବଟମ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରୟୋଗ ବଳରେ ଏପରି କରାଯାଇଥିବା କୁହାଯାଉଛି। ଏଆଇ ସହାୟତାରେ ଜଣେ ବ୍ୟକ୍ତିଙ୍କ ମୁହଁ ଓ ଅନ୍ୟ ଜଣଙ୍କ ଶରୀରକୁ ମିଶାଇ ବା ଏଭଳି ବିଭିନ୍ନ ପ୍ରକାର ହେରଫେର କରି ଭିଡିଓ ପ୍ରସ୍ତୁତ କରାଯାଇପାରେ। ସେଲିବ୍ରିଟିମାନଙ୍କ ଅଜାଣତରେ ସେମାନଙ୍କ ପର୍ନ (ଅଶ୍ଳୀଳ) ଫିଲ୍ମ ପ୍ରସ୍ତୁତି ବେଳେ ଏହି ଟେକ୍ନୋଲୋଜିର ସହାୟତା ନିଆଯାଇଥାଏ। ପୂର୍ବରୁ ଟମ୍‌ ହଂକ୍ସ ଓ କ୍ରିଷ୍ଟେନ୍‌ ବେଲ୍‌ଙ୍କ ଭଳି ସେଲିବ୍ରିଟି ଏହାର ଶିକାର ହୋଇସାରିଛନ୍ତି। ତେବେ ଏଆଇ ଟୁଲ୍‌ ଉପଯୋଗରେ କୌଣସି ବ୍ୟକ୍ତି ବିଶେଷକରି ମହିଳାଙ୍କ ସମ୍ମାନ ହାନି ହେଲା ଭଳି ଫଟୋ/ଭିଡିଓ ଜାଲିଆତି କରିବା ଆପରାଧିକ କାର୍ଯ୍ୟ।
ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ଭୁଲ୍‌ ତଥ୍ୟ ନିରୋଧୀ ଅଭିଯାନ ସମ୍ପର୍କିତ ସେମାନଙ୍କ ଆଇନଗତ ଉତ୍ତରଦାୟିତ୍ୱ ଉପରେ ଚେତାଇ ଦେଇଛନ୍ତି। ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ସମସ୍ତ ନାଗରିକଙ୍କ ସୁରକ୍ଷା ଓ ଆସ୍ଥା ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୩ ଏପ୍ରିଲରେ କରାଯାଇଥିବା ସୂଚନା ପ୍ରଯୁକ୍ତି (ଆଇଟି) ରୁଲ୍ସ ଅଧୀନରେ ଏଭଳି କଣ୍ଟେଣ୍ଟ୍ସକୁ ହଟାଇବା ପ୍ଲାଟ୍‌ଫର୍ମଗୁଡ଼ିକର ଦାୟିତ୍ୱ। ଏହାର ଅନୁପାଳନ ନ କଲେ ରୁଲ୍‌ ୭ ଲାଗୁ ହେବ ଏବଂ ମଞ୍ଚଗୁଡ଼ିକୁ କୋର୍ଟର କାଠଗଡ଼ାକୁ ଟଣାଯାଇପାରିବ। ସଦ୍ୟ ଡିପ୍‌ଫେକ୍ସଗୁଡ଼ିକ ସୂଚନାକୁ ନଷ୍ଟ କରିଦେବା ସହ ବିପଜ୍ଜନକ ଧାରା ସୃଷ୍ଟି କରିଥିବା ରାଜୀବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri