ବମ୍ବେ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ନଗରୀରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ରାମମନ୍ଦିର ନିମନ୍ତେ କରିଛନ୍ତି ଶିଳାନ୍ୟାସ। ସାରା ଦେଶରେ ଏହାକୁ ନେଇ ଉତ୍ସବର ମାହୋଲ। ଲୋକମାନେ ସୋସିଆଲ ମିଡିଆରେ ନିଜ ଖୁସି ବାଣ୍ଟୁଛନ୍ତି। ଏହି କ୍ରମରେ ପଛରେ କିଭଳି ରହିପାରିବେ ମା’ ସୀତା। ଦୁରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣର ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ଏହାକୁ ନେଇ ବେଶ୍ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଲଗାତାର ଭାବେ ସେ ନିଜ ମନକଥା ପ୍ରଶଂସକଙ୍କ ସହ ବାଣ୍ଟୁଛନ୍ତି।
ଦୀପିକା ନିଜ ଇନ୍ଷ୍ଟା ପୃଷ୍ଠାରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଦୀପ ଲଗାଉଥିବା ଦେଖାଯାଇଛି। ଭିଡିଓକୁ ଶେୟାର କରି ସେ କହିଛନ୍ତି, ଏହା ସବୁ ଭାରତୀୟଙ୍କ ପାଇଁ ଗର୍ବର କଥା। ୫୦୦ ବର୍ଷର ସଂଘର୍ଷ ପରେ ନିଜ ଘରେ ଭଗବାନଙ୍କ ସ୍ବାଗତ କରାଯିବ।
ପୂର୍ବରୁ ସେ ଆଉ ଏକ ପୋଷ୍ଟ କରି ଦୀର୍ଘ ଦିନର ଅପେକ୍ଷା ଶେଷ ହେଲା। ଏହା ସୁନ୍ଦର ଅନୁଭବ। କାଲି ଶିଳାନ୍ୟାସ ହେବ। ଏଭଳି ଲାଗୁଛି ଯେପରି ଦୀପାବଳି ଶୀଘ୍ର ଆସିଯାଇଛି। କାଲିର ଅପେକ୍ଷା ବୋଲି ଲେଖିଥିଲେ।