ଦୀପିକାଙ୍କୁ ଟାଇମ୧୦୦ ଇଫେକ୍ଟ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ତାଙ୍କ ଅଭିନୟ ଦୁନିଆରେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ତେବେ ଦିପିକାଙ୍କ ମାନସିକ ସ୍ବାସ୍ଥ୍ୟ ସଚେତନତା ପାଇଁ ଟାଇମ୧୦୦ ଇଫେକ୍ଟ ଆୱାର୍ଡର ନିଜ ନାମରେ କରିନେଇଛନ୍ତି। ଏନେଇ ନିଜେ ଦୀପିକା ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ଏହି ଆୱାର୍ଡରେ ଦୀପିକାଙ୍କ ସମେତ ୧୦୦ ବ୍ୟକ୍ତି ସାମିଲ ଅଛନ୍ତି। ଏହି ପୁରସ୍କାର ତାଙ୍କୁ ଦୁବାଇର ଭବିଷ୍ୟତ ସଂଗ୍ରହାଳୟରେ ପ୍ରଦାନ କରାଯିବ। ଦୀପିକା ତାଙ୍କ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ସୋମବାର ସକାଳ ପାଇଁ ଏହା ଅତ୍ୟନ୍ତ ଆନନ୍ଦଦାୟକ’। ପୂର୍ବରୁ ୨୦୧୪ରେ ଦୀପିକା ମାନସିକ ରୋଗରେ ପୀଡିତ ହୋଇଥିଲେ। ସେଥିପାଇଁ ସେ ମାନସିକ ସ୍ବାସ୍ଥ୍ୟ ଉପରେ କାମ କରିବାକୁ ଆରମ୍ଭ କରିଥିଲେ। ଏନେଇ ଦୀପିକା କହିଛନ୍ତି, ‘ମାନସିକ ରୋଗ ସହିତ ମୋର ଗଭୀର ଅନୁଭୂତି ରହିଛି’। ଦୀପିକା ପାଇଁ ମାନସିକ ସ୍ବାସ୍ଥ୍ୟ କିଛି ମାତ୍ରାରେ ଆହ୍ବାନ ପାଲଟିଥିଲା। ସେ ୨୦୧୫ରେ ଲାଇଭ ଲଭ୍‌ ଲାଫ ଫାଉଣ୍ଡେସନ ଆରମ୍ଭ କରିଥିଲେ, ଯାହା ମାନସିକ ସ୍ବାସ୍ଥ୍ୟର ଅବହେଳା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସାହାଯ୍ୟ କରିଥିଲା। ଏହି ଫାଉଣ୍ଡେସନ କର୍ନାଟକ, ଓଡିଶା ଏବଂ ତାମିଲନାଡୁର ୪ଟି ଗ୍ରାମାଞ୍ଚଳର ୧୮ଶହ ବ୍ୟକ୍ତିଙ୍କୁ ମାଗଣା ମାନସିକ ରୋଗ ସହାୟତା, ସରକାରୀ ସହାୟତା ଯୋଗାଉଛି। ଦୀପିକା କହିଛନ୍ତି, ତାଙ୍କ ଓକିଲାତି କାର୍ଯ୍ୟ ତାଙ୍କୁ ଜୀବନରେ ସନ୍ତୁଳନ ଖୋଜିବାରେ ସାହାଯ୍ୟ କରିଛି, ଯାହା ତାଙ୍କ ପାଇଁ ସଫଳତାର ନୂତନ ସଂଜ୍ଞା। ଶେଷ ଥର ପାଇଁ ଦୀପିକାଙ୍କୁ ଫିଲ୍ମ ଗେହେରିୟାରେ ଦେଖିବାକୁ ମିଳିଥିଲା।

Share