ଦୀପିକାଙ୍କୁ ଜେରା ସମୟରେ ଏସବୁ ପ୍ରଶ୍ନ ପଚାରିଥିଲା ଏନ୍‌ସିବି, ଜାଣନ୍ତୁ କ’ଣ ଦେଇଥିଲେ ଉତ୍ତର

ମୁମ୍ବାଇ,୨୬ା୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ଏନ୍‌ସିବି ବଲିଉଡ୍‌ର ଅଭିନେତ୍ରୀ ଅଭିନେତାମାନଙ୍କୁ ମାରାଥନ ଜେରା କରୁଛି। ଏହି କ୍ରମରେ ଶନିବାର ସକାଳେ ଏନ୍‌ସିବି ନିକଟରେ ହାଜର ହୋଇଥିଲେ ଦୀପିକା ପାଦୁକୋନ। ଦୀପିକା ପହଞ୍ଚିବା ପରେ ଏନ୍‌ସିବିର ସ୍ବତନ୍ତ୍ର ଟିମ୍‌ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା ଆରମ୍ଭ କରିଥିଲା। ଆଜି ସାଢ଼େ ୫ ଘଣ୍ଟା ଧରି ଦୀପିକା ଜେରାର ସମ୍ମୁଖୀନ ହୋଇଥିଲେ।

ତେବେ ଏହି ଜେରା ସମୟରେ ଦୀପିକା ଏକ ବଡ଼ କଥା ସ୍ବୀକାର କରିଛନ୍ତି। ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ହୋଇଥିବା ତାଙ୍କର ଡ୍ରଗ୍ସ ଚାଟ୍‌ କଥାକୁ ସେ ମାନିଛନ୍ତି। ମାତ୍ର କେବେ ଡ୍ରଗ୍ସ ନେଇନାହାନ୍ତି ବୋଲି ଏନ୍‌ସିବିକୁ କହିଥିଲେ। ଦୀପିକାଙ୍କ ଉତ୍ତରରେ ଏନ୍‌ସିବି ଅଧିକାରୀମାନେ ସନ୍ତୁଷ୍ଟ ନୁହନ୍ତି। ଦୀପିକା ଏବଂ କରିସ୍ମାଙ୍କୁ ଏନ୍‌ସିବି ଅଧିକାରୀ କେପିଏସ୍‌ ମାଲହୋତ୍ରା ଏବଂ ତାଙ୍କ ଟିମ୍‌ ଏହି ପ୍ରଶ୍ନ ପଚାରିଥିଲେ। ୨୦୧୭ରେ କୋକୋ କ୍ଲବରେ ଆୟୋଜିତ ହୋଇଥିବା ପାର୍ଟି ବିଷୟରେ ଦୀପିକାଙ୍କୁ ପଚରାଯାଇଥିଲା। ଏନ୍‌ସିବି ସ୍କାନରରେ ଆସିଥିବା ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ିଛି, ଜୟା ସାହା ଚାଟ୍‌ ଗ୍ରୁପ୍‌ର ଆଡମିନ୍‌ ଏବଂ କରିସ୍ମା ମଧ୍ୟ ଏଥିରେ ଅଛନ୍ତି। ସେମାନଙ୍କୁ ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ଫାର୍ମହାଉସରେ ‘ଚିଚୋର’ ପାର୍ଟି ବିଷୟରେ ପଚରାଯାଇଥିଲା। ଏହି ପାର୍ଟିରେ ସେ ଡ୍ରଗ୍ସ ଖାଇ ନ ଥିବା କହିଛନ୍ତି।

Share