ଅଲ୍ଲୁ ଅର୍ଜୁନଙ୍କ ସହ କାମ କରିବାକୁ ମନ ବଳାଇଛନ୍ତି ଦୀପିକା

ମୁମ୍ବାଇ: ପଦ୍ମାବତ ଫେମ ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ସେ ଏବେ ତାଙ୍କ ଫିଲ୍ମ ‘ଗେହରାଇୟା’ର ପ୍ରମୋଶନରେ ବିଜି ଅଛନ୍ତି । ଫିଲ୍ମରେ ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ବୋଲ୍ଡ ସିନ୍ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଏହି ପ୍ରମୋଶନ ସମୟରେ ତାଙ୍କୁ ଏମିତି ଏକ ପ୍ରଶ୍ନ ପଚରା ଯାଇଥିଲା ଯାହାର ଉତ୍ତରରେ ସେ ତାଙ୍କ ମନ କଥା ଖୋଲି କହିଛନ୍ତି । ତାଙ୍କ ପାଇଁ ପ୍ରଶ୍ନ ଥିଲା ଏବେ ସେ କାହା ସହିତ ମାନେ କେଉଁ କଳାକାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ଉତ୍ତରରେ ଦୀପିକା କହିଥିଲେ ‘ପୁଷ୍ପା’ ଫିଲ୍ମର ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ସେ ଏବେ କାମ କରିବାକୁ ଚାହୁଁଛନ୍ତି । ଏହାସହ ଜୁନିୟର ଏନ୍‌ଟିଆର୍‌ଙ୍କ ସହ ବି ସେ କାମ କରିବାକୁ ମନ ବଳାଇଛନ୍ତି । କେବଳ ଦୀପିକା ନୁହେଁ ଏବେ ଅଧିକାଂଶ କଳାକାର ସାଉଥ୍ ଷ୍ଟାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ଆଉ ଏକ ପ୍ରଶ୍ନର ଉତ୍ତରରେ ଦୀପିକା କହିଛନ୍ତି ଜୁନିୟର ଏଟିଆରଙ୍କ ନିକଟରେ ୟୁନିଟ ପର୍ସନାଲିଟି ରହିଛି । ଏହାସହ ସେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ସହ ପୁଣିଥରେ କାମ କରିବାକୁ ଚାହୁଁଛନ୍ତି । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ଦୀପିକା ୟେ ଜୱାନି ହେ ଦିୱାନୀରେ କାମ କରି ସାରିଛନ୍ତି । ଏହାସହ ଅଭିନେତ୍ରୀ ଏସ୍‌ଏସ୍ ରାଜାମୌଳିଙ୍କ ସହ ବି କାମ କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି ।

Share