ଭାଉଜ ହତ୍ୟା ଅଭିଯୋଗରେ ଦିଅର ଗିରଫ

ବଡ଼ଗାଁ, ୧୨।୯(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଗରିଆମାଲ ଗାଁ ନିକଟ ଜଙ୍ଗଲରେ ପୋତା ଯାଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ସୋମବାର ଜବତ କରିଛି। ହତ୍ୟା କରି ପୋତିଥିବା ଅଭିଯୋଗରେ ପୋଲିସ ମୃତା ମହିଳାଙ୍କ ଦିଅର ଜିତେନ୍ଦ୍ର କିଣ୍ଡୋ(୩୦)ଙ୍କୁ ଗିରଫ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗରିଆମାଲ ଗ୍ରାମର ଧର୍ମେନ୍ଦ୍ର କିଣ୍ଡୋ ଓ ତାଙ୍କ ସ୍ତ୍ରୀ ଆରତୀ ଚଟୁବୁଡ଼ ଗ୍ରାମରେ ରହିଆସୁଛନ୍ତି। ଆରତୀ (୩୩) କୁଆଡ଼େ ଦିଅର ଜିତେନ୍ଦ୍ରଙ୍କ ବିବାହ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିଲେ। ଜିତେନ୍ଦ୍ର ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଆରତୀ ବିରୋଧ କରିଆସୁଥିଲେ। ଏହାକୁ ନେଇ ଜିତେନ୍ଦ୍ର ମନେମନେ ରାଗ ରଖି ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ଗତ ଶୁକ୍ରବାର ରାତିରେ ଭାଉଜଙ୍କୁ ଗରିଆମାଲ ଗାଁକୁ ଯିବା କହି ଡାକିଆଣିଥିଲେ। ଜଙ୍ଗଲ ନିକଟରେ ପହଞ୍ଚତ୍ବାବେଳକୁ ରାତି ୮ଟା ହୋଇଯାଇଥିଲା। ସେଠାରେ ତାଙ୍କୁ ବାଡ଼ିରେ ପିଟିବା ସହ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଗାତ ଖୋଳି ପୋତିଦେଇ ସେଠାରୁ ଚାଲିଯାଇଥିଲେ। ଆରତୀ ନିଖୋଜ ହେବାରୁ ତାଙ୍କ ସ୍ବାମୀ ଓ ଅନ୍ୟମାନେ ଖୋଜାଖୋଜି କରିଥିଲେ। ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଜିତେନ୍ଦ୍ରଙ୍କ ଉପରେ ସନ୍ଦେହକରି ଥାନାକୁ ଡାକି ପଚରାଉଚରା କରିବାରୁ ସେ ଘଟଣା ସମ୍ପର୍କରେ ସ୍ବୀକାର କରିଥିଲେ। ସୋମବାର ଏସ୍‌ଡିପିଓ ଶଶାଙ୍କଶେଖର ବେୟୁରା, ବଡ଼ଗାଁ ଥାନା ଇନ୍ସପେକ୍ଟର ହୃଷୀକେଶ ବେହେରା, ସବ୍‌ଇନ୍ସପେକ୍ଟର ମିଲି ସାହୁ,ଏଏସଆଇ ବିଜୟ କୁମାର୍‌ କର ଓ ସାଇଣ୍ଟିଫିକ୍‌ ଟିମ୍‌ ଜିତେନ୍ଦ୍ରଙ୍କୁ ଘଟଣାସ୍ଥଳକୁ ନେଇଥିଲେ। ପୋତା ଯାଇଥିବା ସ୍ଥାନ ଚିହ୍ନଟ କରି ଗଳିତ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share