Categories: Uncategorized

ହରିଣଛାଲ ଜବତ, ୨ ଗିରଫ

ରାଜନଗର, ୫।୧(ଡି.ଏନ.ଏ.):ଭିତରକନିକା ଜାତୀୟଉଦ୍ୟାନରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କ ଜୀବନ ଏବେ ବିପନ୍ନ ମୁହଁା ହେବାରେ ଲାଗିଛି। ନୂଆବର୍ଷରେ ମଉଜ ମଜଲିସ ପାଇଁ ଜାତୀୟ ଉଦ୍ୟାନ ସୀମା ସରହଦରେ ବସବାସ କରୁଥିବା ଶିକାରୀମାନେ ହରିଣକୁ ଶିକାର କରିଥିଲେ। ତାହାର ଛାଲକୁ ବିକ୍ରି କରିବାକୁ ସୋମବାର ଅପରାହ୍ନରେ ଯାଉଥିବା ବେଳେ ଦୁଇଜଣଙ୍କୁ ବନ ବିଭାଗର କର୍ମଚାରୀ ଗିରଫ କରିବା ସହ ଛାଲକୁ ଜବତ କରିଛନ୍ତି। ଶିକାରୀ ଦ୍ୱୟ ହେଲେ ରାଜନଗର ବ୍ଲକ କନକନଗର ଗାଁର ଶିକାରୀ ବିଶ୍ୱଜିତ ମଣ୍ଡଳ, ଶୈଳେନ୍ଦ୍ରନଗର ଗାଁର ମିଥୁନ ପରିଡା। ସେମାନେ ବାଇକ୍‌ (ନଂ. ଓଡି୨୯ଡି ୦୬୮୯)ରେ ହରିଣ ଛାଲ ନେଇ କେନ୍ଦ୍ରାପଡାକୁ ବିକ୍ରି କରିବାକୁ ଯାଉଥିଲେ। ହରିଣ ଛାଲକୁ ୧୫ ହଜାର ଟଙ୍କାରେ ବିକ୍ରି କରିବାର ସେମାନଙ୍କ ଯୋଜନା ଥିଲା। ଖବରପାଇ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ସୁନିଲ ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ଜାତୀୟଉଦ୍ୟାନ ସୀମାରେ ଥିବା ଡାଙ୍ଗମାଳ ପଞ୍ଚାୟତର ଢୋଢୋଇଆ କାଠୁଆ ଛକ ନିକଟରେ ବାଇକ୍‌କୁ ଅଟକାଇ ବନ୍ଧା ଯାଇଥିବା ଜାଲରୁ ହରିଣ ଛାଲ ଜବତ କରିଥିଲେ। ଜବତ ହରିଣ ଛାଲ ୪ ଫୁଟ ଲମ୍ବ ୧ ଫୁଟ ୪ ଇଞ୍ଚ ଚଉଡା ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଦୁଇ ଶିକାରୀଙ୍କ କହିବା ଅନୁଯାୟୀ ୧୦ ଦିନ ତଳେ ସେମାନେ ଭିତରକନିକା ଜାତୀୟ ଉଦ୍ୟାନର ନର୍ଥ ମହିଁଷାମୁଣ୍ଡା ଫରେଷ୍ଟ ବ୍ଲକ ଅଞ୍ଚଳରୁ ହରିଣ ଶିକାର କରିଥିଲେ। ସେମାନେ ହରିଣ ଶିକାର କରିବା ପରେ ତାର ମାଂସକୁ ବଜାରରେ ବିକ୍ରି କରିଥିଲେ।