ପାଟଣା,୯।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ କୁମୁଳାବାହାଳି ଗାଁ ଭିତରକୁ ସୋମବାର ଏକ ମାଈ ହରିଣ ପଶି ଆସିଥିଲା। ହେଲେ ମାଂସ ଖାଇବା ଉଦ୍ଦେଶ୍ୟରେ ୨୦ରୁ ଊର୍ଦ୍ଧ୍ୱ ଲୋକ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ହରିଣକୁ ମାରି ଦେଇଥିଲେ। ଏପରିକି ହରିଣକୁ ଶିକାର କରି ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ରୋଷେଇ ପାଇଁ ଯୋଜନା କରୁଥିଲେ।
ଖବର ପାଇ ବନପାଳ ଚିତ୍ତରଞ୍ଜନ ପରିଡ଼ା ବନ କର୍ମଚାରୀଙ୍କ ସହ ପହଞ୍ଚି ଜଣେ ଯୁବକଙ୍କୁ ଧରିବା ସହ ମୃତ ହରିଣକୁ ଜବତ କରିଛନ୍ତି। ଅଟକଥିବା ଯୁବକ ଜଣକ ହେଲେ ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମର ଚିତ୍ତରଞ୍ଜନ ମହାନ୍ତ(୨୮)। ବନ ବିଭାଗ ପକ୍ଷରୁ ହରିଣର ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ରେଞ୍ଜର ଟିକେଶ୍ୱର ମହାନ୍ତ କହିଛନ୍ତି। ଏପରି କି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ରେଞ୍ଜର ମହାନ୍ତ କହିଛନ୍ତି। ଏନେଇ ବନ ବିଭାଗ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।