ପଟ୍ଟାମୁଣ୍ଡାଇ,୮ା୪ (କଳ୍ପତରୁ ନାୟକ): ରାଜ୍ୟରେ ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ ଲାଭ କରିଥିବା କେନ୍ଦ୍ରାପଡ଼ା ଜିଲାର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଆଜି ବି ଶିଳ୍ପ ବିହୀନ ଅବସ୍ଥାରେ ପଡ଼ିରହିଛି। ଜିଲାର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ଅଭାବରୁ ବେକାର ହୋଇ କୌଣସି କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଯାଉଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକମାନେ ଦାଦନ ଖଟିବା ପାଇଁ ମଧ୍ୟ ବାହାର ରାଜ୍ୟ ଓ ଦେଶକୁ ଯାଉଛନ୍ତି। ଯେଉଁମାନେ କୃଷି ଉପରେ ଭରସା କରି ନିଜର ଆଗାମୀ ଭବିଷ୍ୟତ ଓ ତେଲଲୁଣର ସଂସାରକୁ ଗଢ଼ିବା ପାଇଁ ସ୍ବପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ବହୁ ସମୟରେ ହତାଶ ହେଉଛନ୍ତି। ଠିକ୍ ଜଳ ପରିଚାଳନା ଅଭାବ ସାଙ୍ଗକୁ କୃଷି ସାମଗ୍ରୀର ଉଚିତ ଦର ମିଳୁ ନାହିଁ । ଶୀତଳଭଣ୍ଡାର ଅଭାବରୁ ଅଧିକାଂଶ ସମୟରେ ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି। ଅର୍ଥକରୀ ଫସଲ ଭାବେ ପରିଚିତ ପନିପରିବା ରକ୍ଷଣାବେକ୍ଷଣ ଅଭାବରୁ ପଚି ଶୁଖି ନଷ୍ଟ ହେଉଛି। ଫଳରେ ଚାଷ କରି ଚାଷୀ ଲାଭ ପାଉନାହାନ୍ତି।
ଏ ସମ୍ପର୍କରେ କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡା, ସୁଶାନ୍ତ ସାମଲ, ଭାସ୍କର ରାଉତ, କୁଞ୍ଜବିହାରୀ ନାୟକ ପ୍ରମୁଖ କହିଛନ୍ତି, ଜଳସେଚନ ଅଭାବରୁ ପଟ୍ଟାମୁଣ୍ଡାଇ ଉତିକଣ ଭେଡ଼ା ଅଞ୍ଚଳରେ ଥିବା ଗଙ୍ଗାରାମପୁର, ସାନଜରିଆ, ଦିହୁଡିପୁର, ବଡ଼ପଡ଼ା, ବଡ଼ମୋହନପୁର, ଖଡିଅଣ୍ଟା, କକ୍ଷାରୁଣୀ, ନରସିଂହପୁର, ଡିହାପଡ଼ା, ମୂଳବସନ୍ତ ଆଦି ପଞ୍ଚାୟତ ବହୁଳ ଭାବେ ପନିପରିବା ଫସଲ କରାଯାଇଥିବା ବେଳେ ଏବେ ଶତାଧିକ ଏକର ବିଲ ଫାଠି ଅଁା କଲାଣି। ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ହେଉଛି। କିନ୍ତୁ ଜଳସେଚନ ଅଭାବରୁ ହଜାର ହଜାର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଛି। ଦୁଇ ଦଶନ୍ଧି ଧରି ପଟ୍ଟାମୁଣ୍ଡାଇ କେନାଲରେ ଡାଳୁଅ ପାଣି ନ ଆସିବାରୁ ଚାଷୀ ଡାଳୁଅ ଧାନ ଚାଷ ପ୍ରତି ବିମୁଖ ହୋଇ ପନିପରିବା ଚାଷ ଉପରେ ନିର୍ଭର କରିଆସୁଛନ୍ତି। ମାତ୍ର କେନାଲରେ ଆବଶ୍ୟକ ଜଳ ପରିଚାଳନା ନ ହେବା ସହ ନୟନଯୋରି ପୋତି ହୋଇଯିବାରୁ ଚାଷୀ ବିଲ ଫାଟି ଆଁ କରିବା ସହିତ ଫସଲ ଶୁଖି ଯାଉଛି। ଯେଉଁ ଫସଲ ଅମଳ ହେଉଛି ତାହା ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ତାହା ନଷ୍ଟ ହେଉଛି। ସେହିପରି ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ଥିବା ଅଣ୍ଢରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ସିଂହଗଁା, ନୀଳକଣ୍ଠପୁର, ଡାମରପୁର, ବାଲିପାଟଣା, ବାଛରା, ଶ୍ରୀରାମପୁର, ବଳଭଦ୍ରପୁର ଆଦି ପଞ୍ଚାୟତ ଏବଂ ପୌରାଞ୍ଚଳ ବାଲିପଡ଼ା, କଷଣଅଣ୍ଟା, ଷଣ୍ଢପଲ୍ଲୀ, ତନୁପୁର, କାକୁଡିପଲ୍ଲୀ, ଅଳଭା ଆଦି ଧୋୟାଞ୍ଚଳରେ ପନିପରିବା ଫସଲ ହୋଇଥାଏ। ଏହି ଫସଲକୁ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ବିଭିନ୍ନ ହାଟ ବଜାରରେ ବିକ୍ରି କରାଯାଇଥାଏ। ଚାଷୀମାନେ ବହୁ କଷ୍ଟରେ ଚଢ଼ା ଦାମ୍ରେ ମଞ୍ଜି, ଚାରା, ପୋକମରା ଔଷଧ, ରାସାୟନିକ ସାର ବ୍ୟବହାର କରି ପନିପରିବା ଫସଲ କରିଥାନ୍ତି। ଏପରି କି ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ତେଣ୍ଡାରେ ବହୁ ପରିଶ୍ରମ କରି ଜମିକୁ ଜଳସେଚିତ କରିବା ସହିତ ଆଳୁ, ବାଇଗଣ, ଟମାଟୋ, ପୋଟଳ, କଖାରୁ, ଭେଣ୍ଡି, ପିଆଜ ଓ ରସୁଣ ଆଦି ଫସଲ କରିଥାନ୍ତି। ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟରେ ପନିପରିବା ବିକ୍ରି କରିବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ପଟ୍ଟାମୁଣ୍ଡାଇଠାରେ ୨ଟି ଶୀତଳଭଣ୍ଡାର ଖୋଲିବାକୁ କୃଷକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି।