Categories: ଖେଳ

ସଡନ୍‌ଡେଥ୍‌ରେ ହାରିଲା ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ସିଡ୍‌ନୀ,୬ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ଫୁଟବଲ୍‌ ବିଶ୍ୱକପରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍‌। ଅନ୍ୟପକ୍ଷେ ବିଗତ ସଂସ୍କରଣର ରନର ଅପ୍‌ ନେଦରଲାଣ୍ଡ୍ସ ୨-୦ରେ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

ଡିଫେଣ୍ଡିଂ ଚାମ୍ପିୟନ ଆମେରିକାକୁ ସଡନ୍‌ ଡେଥ୍‌ରେ ୫-୪ ଗୋଲରେ ପରାସ୍ତ କରିଛି ସୁଇଡେନ୍‌ । ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୦-୦ ରହିଥିଲା। ଅତିରିକ୍ତ ୩୦ ମିନିଟରେ ମଧ୍ୟ ଉଭୟ ଦଳ ପରସ୍ପର ବିପକ୍ଷରେ ସ୍କୋର କରିବାରେ ଅସମର୍ଥ ରହିଥିଲେ। ପେନାଲ୍ଟି ଶୁଟ୍‌ ଆଉଟରେ ମଧ୍ୟ ମ୍ୟାଚ ୩-୩ରେ ଅମୀମାଂସିତ ରହିଥିଲା। ସଡନ୍‌ ଡେଥ୍‌ରେ ମ୍ୟାଚ୍‌ ଫଇସଲା ହୋଇଥିଲା। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ସୁଇଡେନ୍‌ ବିଶ୍ୱର ଏକ ନମ୍ବର ଦଳ ଆମେରିକାକୁ ପରାସ୍ତ କରିଛି।

ପେନାଲ୍ଟି ଶୁଟ୍‌ ଆଉଟରେ ଆମେରିକା ପକ୍ଷରୁ ଆଣ୍ଡି ସୁଲିଭାନ୍‌, ଲିଣ୍ଡସେ ହୋରାନ୍‌, କ୍ରିଷ୍ଟି ମଓ୍ବେିସ୍‌ ସ୍କୋର କରିଥିବା ବେଳେ ଷ୍ଟାର ଖେଳାଳି ମେଗାନ୍‌ ରାପିନୋ ଓ ସୋଫିଆ ସ୍ମିଥ୍‌ ବିଫଳ ହୋଇଥିଲେ। ସେହିପରି ସୁଇଡେନ୍‌ ପକ୍ଷରୁ ଫ୍ରିଡୋଲିନା ରୁଲ୍‌ଫୋ, ଏଲିନ୍‌ ରୁବେନ୍‌ସନ୍‌ ଓ ହାନ୍ନା ବେନିସନ୍‌ ସ୍କୋର କରିଥିବା ବେଳେ ନାତାଲି ବୋର୍ନ ଓ ରେବେକା ବ୍ଲୋମକୋଭେଷ୍ଟଙ୍କ ଶଟ୍‌ ପୋଷ୍ଟ ବାହାରକୁ ଯାଇଥିଲା। ସଡନ୍‌ ଡେଥ୍‌ରେ ଆମେରିକୀୟ ଗୋଲ୍‌ କିପର ଆଲିସିଆ ନାହେର ସ୍କୋର କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ମାଗଡାଲେନା ଏରିକ୍‌ସନ୍‌ ସ୍କୋର କରିଥିଲେ। କେଲେଓ ହାରାଙ୍କ ଶଟ୍‌ ବାର୍‌ରେ ବାଜି ଫେରି ଆସିବାରୁ ଆମେରିକା ଶଟ୍‌ ମିସ୍‌ କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ବିଜୟ ସୂଚକ ଗୋଲ ଦେଇଥିଲେ ଲିନା ହର୍ଟିଗ୍‌। ସୁଇଡେନ୍‌ କ୍ୱାର୍ଟର ଫାଇନାଲରେ ଜାପାନକୁ ଭେଟିବ।

Share