Categories: ଜାତୀୟ

ନିପୁଣ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସେନାକୁ ହସ୍ତାନ୍ତର କଲେ ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୮ : ଦେଶର ସୀମାରେ ସୁରକ୍ଷା ଆହ୍ବାନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର କେତେକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ସେନାକୁ ହସ୍ତାନ୍ତର କରିଛନ୍ତି। ଏଥିମଧ୍ୟରେ ଏକେ-୨୦୩ ଏଫ୍‌-ଇନସାସ୍‌ ରାଇଫଲ ଏବଂ ନୂତନ ଆଣ୍ଟି-ଷ୍ଟାଫ ପର୍ସୋନେଲ ମାଇନ୍‌ ନିପୁଣ ଆଦି ରହିଛି। ନୂତନ ଅସ୍ତ୍ରଗୁଡିକ ଇଇଏଲ ଏବଂ ଅନ୍ୟାନ୍ୟ ଭାରତୀୟ କମ୍ପାନୀ ଦ୍ୱାରା ବିକଶିତ କରାଯାଇଛି ।

ଏହି ଅବସରରେ ସେନା ମୁଖ୍ୟଙ୍କ ତରଫରୁ ଭାରତୀୟ ସେନାର ମୁଖ୍ୟ ଇଞ୍ଜିନିୟର ଲ୍ୟୁଟନାଟ ଜେନେରାଲ ହରପାଲ ସିଂ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ ଆମେ ଯେ କୌଣସି ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ। ପଶ୍ଚିମ ମରୁଭୂମିରେ ପାକିସ୍ଥାନ ସହ ହେଉ କିମ୍ବା ଲଦାଖ ସେକ୍ଟରରେ ଥିବା ସମୁଦ୍ର ପତ୍ତନଠାରୁ ଉଚ୍ଚ ଉଚ୍ଚତାରେ ଚାଇନା ସହିତ ସଂଲଗ୍ନ ଅଞ୍ଚଳରେ ଆମେ କଡ଼ା ମୁକାବିଲା ଲାଗି ପ୍ରସ୍ତୁତ ବୋଲି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସେନାକୁ ହସ୍ତାନ୍ତର କରୁଥିବାବେଳେ ସେ ଏହା କହିଛନ୍ତି।

ହରପାଲ ସିଂ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ଅନେକ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସ୍ଥଳ ସେନା ପାଇଁ ଉପନଯୋଗୀ ସାବ୍ୟସ୍ତ ହେବ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭାରତୀୟ ସେନାର ଫୁଟୁରିଷ୍ଟିକ ଇନଫାଣ୍ଟ୍ରି ସିଷ୍ଟମ ଏଫ୍‌-ଇନସାସ୍‌ ଏବଂ ଏକେ-୨୦୩ ରାଇଫଲ ତଥା ଅନ୍ୟ ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା ଦିଆଯାଇଥିଲା।

Share