ଡରିଗଲା ଚାଇନା

ମସ୍କୋ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ରେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ ଚାଇନା ସେନାବାହିନୀ ମୁହାଁମୁହିଁ ହୋଇଛନ୍ତି। ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ବୁଝାମଣା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସୀମା ବିବାଦର ସମାଧାନ ପାଇଁ ଅନେକ ଥର ସାମରିକ କମାଣ୍ଡର୍‌ସ୍ତରୀୟ ଆଲୋଚନା ହୋଇଛି। କିନ୍ତୁ ଫଳାଫଳ ବାହାରି ପାରୁନାହିଁ। ଏସବୁ ଭିତରେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଓ୍ବେ ଫେଙ୍ଗ୍‌ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରୁଷିଆର ମସ୍କୋଠାରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଉଭୟ ନେତା ଅଂଶଗ୍ରହଣ କରୁଛନ୍ତି। ଏଠାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଭେଟିବାକୁ ଚାହୁଁଛନ୍ତି ଫେଙ୍ଗ୍‌। କୁହାଯାଉଛି ଗତ ଅଗଷ୍ଟ ୨୯-୩୦ ରାତିରେ ଚାଇନା ସୈନ୍ୟମାନେ ପେଙ୍ଗାଙ୍ଗ୍‌ ହ୍ରଦ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତୀୟ ଯବାନମାନେ ଏହାକୁ ଦୃଢତାର ସହ ସେମାନଙ୍କୁ ରୋକି ସମ୍ପୃକ୍ତ ଅଞ୍ଚଳର ସମସ୍ତ ପାହାଡକୁ ନିଜ କବ୍ଜାକୁ ନେଇଥିଲେ। ଏଥିରେ ବ୍ଲାକ ଟପ୍‌ ମଧ୍ୟ ସାମିଲ ଅଛି। ଚାଇନାର ଆକ୍ରମଣାତ୍ମକ ପଦକ୍ଷେପକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନିଜ ରଣନୀତିରେ ପରିବର୍ତ୍ତନ କରିଛି। ଭାରତ ମଧ୍ୟ ଚାଇନା ପ୍ରତି ଆକ୍ରମଣାତ୍ମକ ପନ୍ଥା ଆପଣାଇଛି। ଏଥିରେ ଡରି ଯାଇଛି ଚାଇନା। ଫଳରେ ସେ ଭାରତ ସହ ସମାଧାନ କରିବାକୁ ଚାହୁଁଥିବା କୁହାଯାଉଛି।

Share