‘ଏକ୍ସ’କୁ ଫେରିବା ପରେ ପାଣ୍ଠି ସଂଗ୍ରହ ପାଇଁ ଅଣ୍ଟା ଭିଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୬।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ଏକ୍ସ’କୁ ଫେରିଛନ୍ତି।
୨୦୨୧ ଜାନୁୟାରୀ ୬ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ଷମତା ହସ୍ତାନ୍ତର ପର୍ବ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ୍‌ ହିଲ୍‌ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେବେଠୁ ଟ୍ରମ୍ପ୍‌ଙ୍କୁ ଟୁଇଟର ବାସନ୍ଦ କରିଦେଇଥିଲା।

ପରେ ଟ୍ରମ୍ପ୍‌ ଟ୍ରୁଥ୍‌ ସୋସିଆଲ୍‌ ନାମରେ ଏକ ସାମାଜିକ ଗଣମାଧ୍ୟମ ମଞ୍ଚ ପ୍ରତିଷ୍ଠା କରି ନିଜସ୍ବ ମତ ରଖି ଆସୁଥିଲେ। ଗତବର୍ଷ ଟୁଇଟର୍‌ର ମାଲିକାନା ଟେସ୍‌ଲା ସିଇଓ ଏଲନ ମସ୍କଙ୍କ ହାତକୁ ଯାଇଥିଲା। ବର୍ତ୍ତମାନ ଟୁଇଟର୍‌ର ନାମ ବଦଳି ‘ଏକ୍ସ’ ହୋଇଛି। ମସ୍କ ଟ୍ରମ୍ପ୍‌ଙ୍କ ଆକାଉଣ୍ଟକୁ ପୁନଃ ଅବସ୍ଥାପିତ କରିବା ପରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଅଣ୍ଟା ଭିଡ଼ିଥିବା ଚତୁର ବ୍ୟବସାୟୀ କାଳ ବିଳମ୍ବ ନ କରି ପାଣ୍ଠି ସଂଗ୍ରହ ସକାଶେ ଏହାର ଫାଇଦା ଉଠାଇଛନ୍ତି। ଏଥିରେ ସେ ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଖଣ୍ଡନ କରିବା ସହ କେବେହେଲେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‘ଏକ୍ସ’ରେ ଟ୍ରମ୍ପ୍‌ଙ୍କ ୮୬ ନିୟୁତରୁ ଊର୍ଦ୍ଧ୍ୱ ଫଲୋଅର୍ସ ଅଛନ୍ତି।

Share