କାଳିଆପାଣି,୨୫।୪: (ଡି.ଏନ.ଏ.) ବନ ବିଭାଗର ନିଷ୍କ୍ରିୟତା ପାଇଁ ସୁକିନ୍ଦା ବନାଞ୍ଚଳ ଏବେ ଧ୍ୱଂସ ହେବାରେ ଲାଗିଛି । ଖଣି ପାଇଁ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ମହାଗିରି ପର୍ବତମାଳା ସବୁଜିମା ଶୂନ୍ୟ ହେବାରେ ଲାଗିଛି। ଏବେ ସୁକିନ୍ଦା ଖଣିଅଞ୍ଚଳର ଚିରସ୍ରୋତା ଡ଼ମଶାଳ ନାଳର ଉଭୟ ପାର୍ଶ୍ୱରେ ଥିବା ଶତାଧିକ ଗଛକୁ କାଟି ସେଠାରେ ଘର ନିର୍ମାଣ ଚାଲିଛି। ବିଭିନ୍ନ ଅଞ୍ଚଳରୁ ଆସି ଖଣି ଅଞ୍ଚଳରେ କାମ କରୁଥିବା ଶ୍ରମିକ,କର୍ମଚାରୀ ଓ ବ୍ୟବସାୟ ଡ଼ମଶାଳ କୂଳ ଜଙ୍ଗଲକୁ ଜବରଦଖଲ କରିବାରେ ଲାଗିଛନ୍ତି । ସେମାନେ ଜଙ୍ଗଲ କାଟି ପକ୍କା ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ଦୁଃଖର କଥା ଏ ସଂକ୍ରାନ୍ତରେ ବନ ବିଭାଗ ନିକଟରେ କୌଣସି ଖବର ନାହିଁ । କାଳିଆପାଣି ରାଜସ୍ବ ମୌଜାର ଓଡ଼ିଶା ଖଣି ନିଗମ କାର୍ଯ୍ୟାଳୟ ଓ କଲୋନୀ ପାଚେରୀ ବାହାରେ ଏହି ଘର ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି । ଏହି ସୁଯୋଗରେ ଗଛ କଟା ସହିତ ମାପ ଚୁପ ଚାଲିଛି। କାଳିଆପାଣି ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଜମି କହି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ବନ ବିଭାଗ ତୁରନ୍ତ ହସ୍ତକ୍ଷେପ ନ କଲେ ଡ଼ମଶାଳ କୂଳ ଦିନେ ଟାଙ୍ଗରା ଭୂଇଁ ପାଲଟିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା ଏନେଇ ବନବିଭାଗ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କୁ ଯୋଗାଯୋଗ କରାଯାଇଥିଲା ା ସେ କୁହନ୍ତି, ମୋ ନଜରକୁ ଏପରି ଘଟଣା ଆସିନାହିଁ। ମୁଁ ସେହି ସ୍ଥାନ ଦେଖିବା ପରେ ତୁରନ୍ତ ପଦକ୍ଷେପ ନେବି ।