Categories: ଜାତୀୟ

ଡେରାଡୁନ୍‌ବାସୀଙ୍କ ଅସହଯୋଗ ଆନ୍ଦୋଳନ

ଡେରାଡୁନ୍‌, ୪ା୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରୁ ଅନୁପ୍ରାଣିତ ହୋଇ ଅନୁରୂପ ଭାବେ ରାସ୍ତା କାମ ପାଇଁ ଗଛକଟା କାମକୁ ବିରୋଧ କରିଛନ୍ତି ଡେରାଡୁନ୍‌ବାସୀ। ଉତ୍ତରପ୍ରଦେଶର ଗଣେଶପୁରଠାରୁ ଉତ୍ତରାଖଣ୍ଡର ଆଶାରୋରି ପର୍ଯ୍ୟନ୍ତ ୧୯.୫ କିମିର ୪ ଲେନ୍‌ ବିଶିଷ୍ଟ ଦିଲ୍ଲୀ-ଡେରାଡୁନ୍‌ ଏକ୍ସପ୍ରେସଓ୍ବେ ନିର୍ମାଣ ପାଇଁ ବ୍ରିଟିଶ ଶାସନ ଅମଳର ଶହ ଶହ ଗଛ ସମେତ ପ୍ରାୟ ୧୧,୦୦୦ ବୃକ୍ଷ କଟାଯିବା ବନ୍ଦ ଦାବିରେ ବହୁ ସଂଖ୍ୟାରେ ବାସିନ୍ଦା ଶନିବାର ଆଶାରୋରିଠାରେ ଏକାଠି ହୋଇଥିଲେ। ୧୧ ମିନିଟ୍‌ ସମୟ ବଞ୍ଚାଇବା ପାଇଁ ୧୧ ହଜାର ଗଛକୁ ବଳି ପକାଯାଇପାରିବ ନାହିଁ ବୋଲି ସେମାନେ ସ୍ଲୋଗାନ ଦେଇଥିଲେ। ଏଥିରେ ସ୍ଥାନୀୟ ଲୋକେ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ ପାଇଁ ‘ମୋହୁନ୍ଦ ଚଲୋ’ ରାଲିରେ ବାହାରିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାବେଳେ ୟୁପି ସରକାର ଗଛକଟା ଆରମ୍ଭ କରିଥିବା ଅଭିଯୋଗ ହୋଇଛି। କୌଣସି ପ୍ରକାରରେ ଗଛକୁ ଛୁଇଁବାକୁ ଦିଆଯିବ ନାହିଁ ବୋଲି ଡେରାଡୁନ୍‌ବାସୀ ଜିଦ୍‌ ଧରିଛନ୍ତି। ଏପରି କି ସେମାନେ ଗଛଗୁଡ଼ିକୁ କୁଣ୍ଢାଇ ଧରି ଛିଡ଼ାହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

 

Share