ସମ୍ବଲପୁର,୧୯ା୯(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଠିକା ସଂସ୍ଥାଗୁଡିକ ଚୁକ୍ତି ଖିଲାପ କରି ଉନ୍ନତମାନର ସେବା ଯୋଗାଇ ଦେଉନାହାନ୍ତି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ହାତରେ ରଖି ଜାଲିଆତି ବିଲ୍ କରି ନେଉଛନ୍ତି। ଅଭିରାମ କେୟାର ଟେକ୍ ସଂସ୍ଥା ନାମରେ ଆସିଛି ଏଭଳି ଅଭିଯୋଗ। ପ୍ରାୟ ୨ମାସ ହେବ ଚୁକ୍ତି ସମୟ ସରିଯାଇଥିବା ବେଳେ ଏବେ ମଧ୍ୟ ଉକ୍ତ ସଂସ୍ଥା ମେଡିକାଲ ଭିତରେ କାମ ଜାରି ରଖିଛି। କାହା ସ୍ବାର୍ଥରେ ଡିଏଚ୍ଏଚ୍ ପକ୍ଷରୁ ଏଭଳି କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ସମୟସୀମା ପୂର୍ବରୁ ନୂତନ ଟେଣ୍ଡର କରାଯାଇ ନାହିଁ। ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଇ ସମୟ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଯେଭଳି ଉକ୍ତ ସଂସ୍ଥା ସେବା ଯୋଗାଇ ଦେଉଥିଲା ଏବେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ମେଡିକାଲକୁ ଠିକ ଭାବେ ସଫେଇ କରୁନାହିଁ। ଓଟି ଓ କେତେକ ସ୍ଥାନରେ ଦିନକୁ ୩ଥର ସଫେଇ କରିବା ବଦଳରେ ଥରଟିଏ କରୁଛି। ଚୁକ୍ତି ଅନୁସାରେ ଯେଭଳି ମାନର ସମାଗ୍ରୀ ଯୋଗାଇଦେବା କଥା ତାହା ଯୋଗାଇ ଦେଇନାହିଁ। ଏ ସମ୍ପର୍କରେ ସିଡିଏମ୍ଓ ପଙ୍କଜ ପଟେଲ କହିଛନ୍ତି, ରାଜ୍ୟ ସ୍ତରରେ ଟେଣ୍ଡର କରାଯାଇଛି। ହେଲେ ବିଭିନ୍ନ କାରଣରୁ ପ୍ରକ୍ରିୟାରେ ବିଳମ୍ବ ହୋଇଛି। ୧୧ କମ୍ପାନୀ ଟେଣ୍ଡରରେ ସାମିଲ ହୋଇଛନ୍ତି। ଟେଣ୍ଡର ଖୋଲାଯାଇ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଖୁବ୍ଶୀଘ୍ର ଚୁଡାନ୍ତ ତାଲିକା ପ୍ରକାଶ ପାଇଯିବ ଓ ନୂତନ ଠିକା ସଂସ୍ଥା କାମ ହାତକୁ ନେବ। ଜରୁରୀ ସେବା ଯୋଗୁ ଠିକା ସଂସ୍ଥାର ସମୟସୀମା ବୃଦ୍ଧି କରାଯାଇଥିଲା ବୋଲି କହିଥିଲେ।