ଆଠମଲ୍ଲିକ, ୭।୧୧(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ ନୂଆଗଡ଼ ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ୯ ଗ୍ରାମର ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଗୁରୁବାର ନୂଆଗଡ ପିଢ ନିକଟରେ ଏକ ବୈଠକ ବସିଥିଲା।
ସୂଚନାଯୋଗ୍ୟ, ଆଠମଲ୍ଲିକ-ବଇଣ୍ଡା ପୂର୍ତ୍ତ ବିଭାଗ ରାସ୍ତାକଡ଼ ନୂଆଗଡ ଚଡ଼କା ନାଳରେ ପୋଲ ନିର୍ମାଣ କାର୍ଯ୍ୟ ୨୨ କୋଟି ବ୍ୟୟ ଅଟକଳରେ ୨୦୧୮ରୁ ଚାଲିଛି। ବର୍ତ୍ତମାନ ସୁଦ୍ଧା ଫାଉଣ୍ଡେଶନ କାର୍ଯ୍ୟ ସହିତ ୧୧ଟି ପିଲର କାର୍ଯ୍ୟ ହୋଇ ରଡ଼ ବନ୍ଧାରେ କାମ ଅଟକି ରହିଛି। ଠିକାସଂସ୍ଥା ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାର୍ଯ୍ୟର ଅବଧି ୨୦୨୦ ପର୍ଯ୍ୟନ୍ତ ରହିଥିଲା। ମାତ୍ର ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ପୋଲ ନିର୍ମାଣ କାମରେ ବିଳମ୍ବ ଘଟୁଛି। ପୋଲ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଗ୍ରାମବାସୀ, ଛାତ୍ରୀଛାତ୍ର, ବୃଦ୍ଧାବୃଦ୍ଧ ଆଠମଲ୍ଲିକ ସହରକୁ ବିଭିନ୍ନ କାର୍ଯ୍ୟ ପାଇଁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ ନ ହେଲେ ନୂଆଗଡ, ଖମ୍ବେଶ୍ୱରପାଲି, କଇରୀ ଘଟି, ଜିରାଡ଼, ମହେନ୍ଦ୍ରପୁର, ଗୋପାଳପୁର, କୁଶପୁର, ମାଳିପଦର, ପୁଇଚାଣ୍ଡିଆ ଆଦି ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏକ ପ୍ରତିନିଧି ଦଳ ଅନୁଗୋଳ ଜିଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଭେଟି ଅବଗତ କରାଇବବ। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରି ଲୋକାର୍ପିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ସ୍ଥାନୀୟ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ କହିଛନ୍ତି, ପାହାଡି ନାଳରେ ପାଣି ଥିବାରୁ ନିର୍ମାଣ କାର୍ଯ୍ୟ ଅଟକିଛି। ଠିକାଦାର ଅନ୍ୟପଥ ଦେଇ ପାଣି ନିଷ୍କାସନ କରି କାମ ଆରମ୍ଭ କରିଛନ୍ତି। ଏଥିପାଇଁ ନାଳ ଖୋଲା ଚାଲିଛି। ଖୁବ୍ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଚାଲିବ।