Categories: ଜାତୀୟ

ନୀରବଙ୍କ ପ୍ରତ୍ୟର୍ପଣରେ ବିଳମ୍ବ

ନୂଆଦିଲ୍ଲୀ, ୧୦।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ବୃହତ୍‌ ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିଳମ୍ବ ହେଉଛି। ଏହି ପ୍ରକ୍ରିୟା ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି। ବ୍ରିଟେନ ହାଇକୋର୍ଟ ନୀରବଙ୍କୁ ମାନସିକ ସ୍ବାସ୍ଥ୍ୟ ଆଧାରରେ ଆବେଦନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଲଣ୍ଡନର ମାଜିଷ୍ଟ୍ରେଟ କୋର୍ଟ ନୀରବଙ୍କ ଭାରତ ପ୍ରତ୍ୟର୍ପଣ ନିଷ୍ପତ୍ତି ବିରୋଧରେ ଅପିଲ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ଏବଂ ମାନବିକ ଅଧିକାର ଭଳି ପ୍ରସଙ୍ଗକୁ ବିଚାରକରି ନୀରବଙ୍କୁ କୋର୍ଟ ଏଭଳି ଆଶ୍ୱସ୍ତି ଦେଇଛନ୍ତି। ଲଣ୍ଡନ ହାଇକୋର୍ଟର ବିଚାରପତି ମାର୍ଟିନ ଚ୍ୟାମ୍ପରଲିନ କୋଭିଡ୍‌ ନିୟମକୁ ନଜରରେ ରଖି ଭର୍ଚୁଆଲ ଭାବେ ଶୁଣାଣି କରିଛନ୍ତି। ନୀରବଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ନୀରବଙ୍କ ଆତ୍ମହତ୍ୟା ଭଳି କଥା ମଧ୍ୟ ସେ କହିଛନ୍ତି।
ନୀରବଙ୍କ ଆତ୍ମହତ୍ୟା ପ୍ରୟାସକୁ ରୋକିବା ପାଇଁ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ପର୍ଯ୍ୟାପ୍ତ ସୁବିଧା ନେଇ କୋର୍ଟରେ ଶୁଣାଣି ହେବା ଆବଶ୍ୟକ ବୋଲି ଓକିଲ କହିଛନ୍ତି। ନୀରବ ଭାରତ ଆସିଲେ ଏହି ଜେଲରେ ରହିବେ ବୋଲି ଆଲୋଚନା ହେଉଛି। ଲଣ୍ଡନର ମାଜିଷ୍ଟ୍ରେଟ କୋର୍ଟ ଚଳିତ ବର୍ଷ ଫେବୃୟାରୀରେ ନୀରବଙ୍କ ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲେ। ଏପ୍ରିଲରେ ବ୍ରିଟେନ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏହାକୁ ନେଇ ବ୍ରିଟେନ ହାଇକୋର୍ଟରେ ଅପିଲ କରିବା ନେଇ ନୀରବଙ୍କ ନିକଟରେ ବିକଳ୍ପ ରହିଥିଲା। ମୋଦିଙ୍କ ଅପିଲ ପରେ ହାଇକୋର୍ଟ ମାଜିଷ୍ଟ୍ରେଟ କୋର୍ଟଙ୍କ ନିଷ୍ପତ୍ତି ଉପରେ ଅପିଲ କରିବାକୁ ମଞ୍ଜୁରୀ ଦେଇଛନ୍ତି। ବ୍ରିଟେନ ଆଇନ ଅନୁସାରେ କୌଣସି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଲାଗି ପ୍ରଥମେ ସମ୍ବନ୍ଧିତ କୋର୍ଟର ଅନୁମତି ନେବାକୁ ପଡିବ। ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ଲାଗି ପର୍ଯ୍ୟାପ୍ତ କାରଣ ରହିଛି କି ନାହିଁ ତାହା କୋର୍ଟ ବିଚାର କରିଥାନ୍ତି।

Share