ଆଇପିଏଲ୍‌ ପୂର୍ବରୁ ଚିନ୍ତାରେ ସିଏସ୍‌କେ

ନୂଆଦିଲ୍ଲୀ,୨୦।୩: ମାତ୍ର ୫ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ସମସ୍ୟା ଶେଷ ହେଉ ନାହିଁ। ଦୁଇ ଷ୍ଟାର ଯୁବ ଖେଳାଳି ଦୀପକ ଚହର ଏବଂ ରୁତୁରାଜ ଗାଏକ୍ୱାଡ ଆହତ ଥିବା ବେଳେ ଏପର୍ଯ୍ୟନ୍ତ କ୍ୟାମ୍ପରେ ଯୋଗ ଦେଇ ନାହାନ୍ତି ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି। ୮ କୋଟି ଟଙ୍କାରେ ରିଟେନ ହୋଇଥିବା ୩୪ ବର୍ଷୀୟ ଅଲିଙ୍କୁ ଭାରତ ଆସିବା ପାଇଁ ୟୁକେର ଭାରତୀୟ ହାଇ କମିଶନଙ୍କ ଠାରୁ କ୍ଲିଅରାନ୍ସ ମିଳିନାହିଁ।

“ସେ ଫେବୃୟାରୀ ୨୮ ତାରିଖରେ ଭିଜା ପାଇଁ ଆବେଦନ କରିଥିଲେ। ଆଦେବନ କରିବା ୨୦ ଦିନ ହେଲାଣି। ସେ ନିୟମିତ ଭାରତ ଯାଆନ୍ତି। ତଥାପି ଏପର୍ଯ୍ୟନ୍ତ ତାଙ୍କୁ ଅନୁମତି ମିଳି ନାହିଁ। ଆମେ ଆଶା କରୁଛୁ ସେ ଖୁବ୍‌ ଶୀଘ୍ର ଦଳ ସହ ଯୋଡ଼ି ହେବେ। ସେ ଆମକୁ କହିଛନ୍ତି, ଆବଶ୍ୟକୀୟ ଦସ୍ତାବିଜ ମିଳିବା ପରେ ପରବର୍ତ୍ତୀ ଫ୍ଲାଇଟ୍‌ ନେଇ ଆସିବେ” ବୋଲି ସିଏସ୍‌କେ ସିଇଓ କାସି ବିଶ୍ୱନାଥନ କହିଛନ୍ତି।

“ଏପରିକି ବିସିସିଆଇ ଆମକୁ ସାହାଯ୍ୟ କରୁଛି। ଆମେ ଆଶା କରୁଛୁ ସୋମବାର ସୁଦ୍ଧା ତାଙ୍କୁ କ୍ଲିଅରାନ୍ସ ମିଳିଯିବ” ବୋଲି ସେ କହିଛନ୍ତି।

Share