ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ

ଆନନ୍ଦପୁର,୨୩ା୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତର ଷ୍ଟାଟସ୍‌କୁ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ, ଅଧିକାରୀଙ୍କ ଉଦାସୀନତା ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତ ଗୁଡିକର ଲିଜ୍‌ ପ୍ରକ୍ରିୟା ବର୍ଷେରୁ ଅଧିକ ଦିନ ହେବ ଶେଷ ହୋଇଥିଲେ ବି ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି। ଫଳରେ ବିଭିନ୍ନ ସମୟରେ ବେଆଇନ ବାଲି ଚାଲାଣ କରାଯାଉଛି। ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସରକାରୀ ସ୍ତରରେ ହେଉ ଅବା ଘରୋଇ ହେଉ ଚୋରା ବାଲି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତହସିଲ ଅଧୀନରେ ସମସ୍ତ ବାଲି ସଇରାତ ବନ୍ଦ ରହିଥିବା ସତ୍ତ୍ୱେ ଚୋରା ବାଲି ଦ୍ୱାରା ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ସ୍ବାଭାବିକ ଚାଲୁଛି। ଏହାଦ୍ୱାରା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ତହସିଲ ପକ୍ଷରୁ ୨୦୨୧ ଏପ୍ରିଲରୁ ୨୦୨୨ ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ଚୋରା ବାଲି ଚାଲାଣ ରୋକିବାକୁ ଉଦ୍ୟମ କରାଯାଇ ୧୧୭ ଗାଡ଼ି ଜବତ କରାଯାଇଛି। ଜରିମାନା ବାବଦକୁ ୧୯ ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି। ତହସିଲ ପକ୍ଷରୁ ପରିବେଶ ମଞ୍ଜୁରୀ କାଗଜ ପତ୍ର ବର୍ଷେରୁ ଉର୍ଦ୍ଧ୍ୱ ଦିନ ହେବ ପଠାଯାଇଥିଲେ ବି ଘଟଣାକୁ ଗୁରୁତ୍ୱ ଦିଆ ନ ଯାଇ ଏଥିରେ ବିଳମ୍ବ ହେବା ପରିତାପର ବିଷୟ। ଏସମ୍ପର୍କରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ କହିଛନ୍ତି ଯେ, କାର୍ଯ୍ୟାଳୟ ପକ୍ଷରୁ ପରିବେଶ ମଞ୍ଜୁରୀ ନିମନ୍ତେ ଠିକଣା ସମୟରେ ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯାଇଛି। ପରିବେଶ ମଞ୍ଜୁରୀ ପତ୍ର ମିଳିବା ପରେ ବାଲି ସଇରାତ ଗୁଡିକ ସ୍ବାଭାବିକ ଭାବେ କାର୍ଯ୍ୟକାରୀ ହେବ।