ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ କରି ଜମି ଅକ୍ତିଆର କରୁଛନ୍ତି। ଉକ୍ତ ଜମିରେ ଯଦି ବହୁ ମୂଲ୍ୟବାନ ଲଘୁ ଖଣିଜ ଦ୍ରବ୍ୟ ମିଳିଲା ତେବେ ସଂପୃକ୍ତ ଶିଳ୍ପସଂସ୍ଥାଙ୍କ ଲଟେରୀ ଖୋଲି ଯାଉଛି। ଏଭଳି ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଭିସିଆଇ କେମିକାଲ ପ୍ରାଇଭେଟ ଲିଃ ନାମକ ଶିଳ୍ପ ସଂସ୍ଥା କ୍ଷେତ୍ରରେ। ଏହି ଶିଳ୍ପ ସଂସ୍ଥାକୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ତହସିଲ ଅନ୍ତର୍ଗତ ଯଖପୁରା ଗ୍ରାମରେ ମିଳିଥିବା ୨୨ ଏକର ଜମିରୁ ଗତ ପ୍ରାୟ ୩ ମାସ ହେବ ବେଆଇନ ମୋରମ ଉତ୍ତୋଳନ ଜାରି ରହିଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଗତ ୧୮ ତାରିଖରେ ଏକ ବେସରକାରୀ ସଂସ୍ଥା ଦ୍ୱାରା ଡ୍ରୋନ କ୍ୟାମେରା ଲଗାଇ ମୋରମ ଲୁଟ ଉପରେ ଆକଳନ କରାଯାଇଛି। ହେଲେ ଏଯାଏ ମାପଚୁପର ରିପୋର୍ଟ ମିଳି ନ ଥିବାରୁ ଭିସିଆଇ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବା ଜଣାପଡିଛି।
ଇତିମଧ୍ୟରେ ଲଘୁ ଖଣି ବିଭାଗ, ସାଟୋଲାଇଟ ମାପଚୁପ କରିଥିବା ବେସରକାରୀ ସଂସ୍ଥା ଏବଂ ଭିସିଆଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇ ମାପଚୁପ ଆକଳନକୁ ରଫାଦଫା କରିବାକୁ ଉଦ୍ୟମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଧର୍ମଶାଳା ତହସିଲ ଅଞ୍ଚଳରେ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ ଉପରେ ସାଟୋଲାଇଟ ମାପଚୁପ କରି କେତେଜଣ ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୩୦୦ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଏଯାଏ ସମ୍ପୂର୍ଣ୍ଣ ଭାବେ ଜରିମାନା ଆଦାୟ ହୋଇ ପାରିନାହିଁ। ଏଭଳିସ୍ଥିତିରେ ଭିସିଆଇ କମ୍ପାନୀ ଉପରେ ସାଟୋଲାଇଟ ମାପଚୁପର ପ୍ରଭାବ କେତେ ପଡିବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଉକ୍ତ କଳା ବେପାରକୁ ଚପାଇ ଦେବାକୁ କେତେଜଶ ରାଜନେତାଙ୍କ ଚାପ ପଡୁଥିବା ମଧ୍ୟ ଆଲୋଚନା ହେଉଛି। ଅନ୍ୟପକ୍ଷେ ଭିସିଆଇ କମ୍ପାନୀ ସମେତ ଇମ୍ଫା, ଜଟିଆ ଷ୍ଟିଲ ପ୍ରଭୃତି ଶିଳ୍ପସଂସ୍ଥା ଜମି ନେଇ ସେଠାରୁ ମୋରମ ଲୁଟ୍‌ କରୁଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଯଖପୁରା ଏବଂ କଚେରୀ ଗାଁ ଗ୍ରାମରେ ୧.୦ ଏଲଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ ଫିଲ୍ଡ କୋଲଟାର ଡିଷ୍ଟିଲେଶନ ପ୍ରକଳ୍ପ ପ୍ରସ୍ତାବ ରହିଛି। ଗତ ୧୯ା୧୧ା୨୦୨୩ରେ ଦାନଗଦି ଭବନଠାରେ ଅନୁଷ୍ଠିତ ସର୍ବସାଧାରଣ ଶୁଣାଣିରେ ଜନକଲ୍ୟାଣ, ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଜନଶୁଣାଣୀରେ ପ୍ରଭାବିତ ଅଞ୍ଚଳବାସୀଙ୍କ ଦ୍ୱାରା ଉତ୍‌ଥାପିତ ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ପଦଟିଏ ବି ଜନଶୁଣାଣୀ ବିବରଣୀରେ ପ୍ରତିଶ୍ରୁତି ଦେଇ ନାହାନ୍ତି। ଏହି କ୍ରମରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ହୋଇଛି।
ଯୋଗ୍ୟତା ଅନୁସାରେ ନିଯୁକ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କାରଖାନା ନିର୍ମାଣକୁ ବିରୋଧ କରାଯିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ହେଲେ ଭିସିଆଇ କମ୍ପାନୀ ମୋରମ ଲୁଟରେ ବ୍ୟସ୍ତ ଥିବାରୁ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ସହ କାରଖାନା କାର୍ଯ୍ୟ ଆରମ୍ଭ କରି ପାରିନାହିଁ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ କମ୍ପାନୀକୁ ମିଳିଥିବା ଜମିରୁ ପ୍ରାୟ ୧୦ ଏକରରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମୋରମ ଲୁଟ୍‌ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଉକ୍ତ ଲୁଟ୍‌ ଟଙ୍କାରୁ କେତେକ ଅଧିକାରୀଙ୍କୁ ନିଜ ଆୟତ୍ତରେ ରଖି ଜରିମାନା ଅର୍ଥକୁ ଅତି କମ କରିଦେବାକୁ ପ୍ରୟାସ ଚାଲିଛି। ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ମାପଚୁପ କରିଥିବା ସଂସ୍ଥା ଏଯାଏ ରିପୋର୍ଟ ଦାଖଲ କରିନାହିଁ। ରିପୋର୍ଟ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।