ଲକ୍ଷ୍ମୀଡୁଙ୍ଗୁରୀରେ ଟନେଲ ନିର୍ମାଣରେ ବିଳମ୍ବ

ସମ୍ବଲପୁର,୮ା୧୦(ଶୁଭାଶିଷ ପାଢ଼ୀ)୫୫ନଂ. ଜାତୀୟ ରାଜପଥର ସମ୍ବଲପୁର ସହର ମଧ୍ୟସ୍ଥ ଲକ୍ଷ୍ମୀଡୁଙ୍ଗୁରୀ, ରେମେଡ ଓ ପିସି ବ୍ରିଜ୍‌ ନିକଟରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହିସବୁ ସ୍ଥାନକୁ ପରିବହନ ବିଭାଗ ପକ୍ଷରୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ଜିଲାସ୍ତରୀୟ ସଡକ ସୁରକ୍ଷା ବୈଠକରେ ମଧ୍ୟ ପରିବହନ ବିଭାଗ ଓ ଏନ୍‌ଏଚ୍‌ଏଆଇ ବିଭାଗ ମଧ୍ୟରେ ଆଲୋଚନା ହୋଇ ସ୍ଥାୟୀ ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି। ଅନ୍ୟପଟେ ବର୍ଷା ଓ ଅନ୍ୟ ସମୟରେ ଲକ୍ଷ୍ମୀଡୁଙ୍ଗୁରିଠାରେ ପଥର ଖସି ରାସ୍ତା ଅବରୋଧ ହେଉଛି। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀଡୁଙ୍ଗୁରୀରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏକ ଟନେଲ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଏଥିପାଇଁ ୩୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାମ ଆରମ୍ଭ ହେବାରେ ବିଳମ୍ବ ହେଉଛି। ଫଳରେ ଜନଅସନ୍ତୋଷ ଦେଖାଦେଇଛି।
ଅନ୍ୟପଟେ ଟନେଲ ନିର୍ମାଣ ପାଇଁ ଡ୍ରୋନ୍‌ ସର୍ଭେ କାମ ଶେଷ ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯାଉଛି। ଭିନ୍ନ ଭିନ୍ନ ସ୍ଥାନରୁ ଡ୍ରୋନ୍‌ ଓ ଅନ୍ୟ ସରଞ୍ଜାମ ଦ୍ୱାରା ତଥ୍ୟ ସଂଗ୍ରହ କରାଯାଇ ରିପୋର୍ଟ ମଧ୍ୟ ପ୍ରସ୍ତୁତି ହୋଇଛି। ଅକ୍ଟୋବର ଶେଷ ସୁଦ୍ଧା ଟେଣ୍ଡର କାମ ଶେଷ ହୋଇଯିବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ଦିଆଯାଇଛି। ପଥର ଖସୁଥିବା ପ୍ରାୟ ୨୨୦ ମିଟର ରାସ୍ତାରେ ଏହି ଟନେଲ୍‌ ନିର୍ମାଣ କରାଯିବ। ରେମେଡ୍‌ ନିକଟରୁ ବୁର୍ଲା ମହାନଦୀ ବ୍ରିଜ୍‌ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ସ୍ଥିର ହୋଇଛି। ୨୦୧୭ରେ ୨୪ କୋଟି ବ୍ୟୟରେ ଏହାକୁ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ୬ବର୍ଷ ବିତିଯାଇଥିଲେ ମଧ୍ୟ ଟନେଲ୍‌ ତିଆରି ହୋଇପାରିଲା ନାହିଁ। ଏବେ ଏହା ୩୮ କୋଟି ଟଙ୍କାରେ ପହଞ୍ଚତ୍ଛି। ଜାତୀୟ ରାଜପଥ ପ୍ରାଧିକରଣର ଏକ ସ୍ବତନ୍ତ୍ର ଟିମ୍‌ ଦାୟିତ୍ୱରେ ରହିଛନ୍ତି। କିଭଳି ତୁରନ୍ତ ନିର୍ମାଣ କରାଯିବ ସେ ନେଇ ଚେଷ୍ଟା କରାଯାଉଛି। ଆର୍‌ଟିଓ ରାମଦାସ ଟୁଡୁ କହିଛନ୍ତି, ସହର ଭିତରେ ଜାତୀୟ ରାଜପଥର ଦୁଇଟି ସ୍ଥାନକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ରେମେଡଠାରୁ ଲକ୍ଷ୍ମୀଡୁଙ୍ଗୁରି ଟନେଲ ନିର୍ମାଣ କରିବାକୁ ଏନ୍‌ଏଚ୍‌ଏଆଇ ପ୍ରକ୍ରିୟା ଆରମ୍ଭ କରିଛି। ଏହାଛଡା ପିସି ବ୍ରିଜ ନିକଟରେ ବୁର୍ଲା ମେଡିକାଲ ପଟରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଟେକ୍‌ନିକାଲ ସମସ୍ୟା ରହିଛି। ଏହାର ସୁଧାର ପାଇଁ ଏନ୍‌ଏଚ୍‌ଏଆଇକୁ କୁହାଯାଇଛି। ଦୁର୍ଘଟଣା କମିବା ନେଇ ଚେଷ୍ଟା କରାଯାଉଛି। ଅନ୍ୟ ସ୍ଥାନରେ ଦୁର୍ଘଟଣା ହାର କମିଯାଇଛି ବୋଲି କହିଥିଲେ।

Share