ଗର୍ଭନାଳ କାଟିବାରେ ବିଳମ୍ବ ନବଜାତକ ମୃତ୍ୟୁ ହାରକୁ ହ୍ରାସ କରିପାରେ…

ମେଲବୋର୍ନ,୧୬।୧୧ : ଜନ୍ମ ପରେ ସଙ୍ଗେ ସଙ୍ଗେ ଗର୍ଭନାଳ କାଟିବା ସାଧାରଣ କଥା, କିନ୍ତୁ ତୁରନ୍ତ ଗର୍ଭନାଳ ନ କାଟିବା ଦ୍ୱାରା ନବଜାତକର ମୃତ୍ୟୁ ହେବାର ଆଶଙ୍କା ଅଧାକୁ ହ୍ରାସ କରିପାରେ। ଦ ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଅଷ୍ଟ୍ରେଲିଆର ନ୍ୟାଶନାଲ ହେଲଥ ଆଣ୍ଡ ମେଡିକାଲ ରିସର୍ଚ୍ଚ କାଉନସିଲ ର ଦୁଇଜଣ ଗବେଷକ ଡାକ୍ତର ଆନ୍ନା ଲେନ ସେଡଲର ଏବଂ ପ୍ରଫେସର ଲିସା ଏସ୍କିଙ୍କ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଯଦି ଗର୍ଭନାଳ କାଟିବାରେ ବିଳମ୍ବ ହୁଏ, ତେବେ ଏହା ଶିଶୁର ଶରୀରରେ ରକ୍ତ ପରିମାଣ ବଢ଼ାଇପାରେ। ଏହା ବ୍ୟତୀତ ରକ୍ତ ପ୍ଲାଲେଟରେ ଲୌହର ସ୍ତର ବଢ଼ିଥାଏ। କେବଳ ଏତିକି ନୁହେଁ, ଗର୍ଭନାଳ ବିଳମ୍ବରେ କାଟିବା କାରଣରୁ ଶିଶୁର ଶରୀରରେ ଥିବା ଲାଲ ରକ୍ତ କଣିକା ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ଆନ୍ନା ଲେନ ସେଡଲର୍‌ କହିଛନ୍ତି ବିଶ୍ୱବ୍ୟାପୀ ପ୍ରତିବର୍ଷ ପ୍ରାୟ ୧୩ ନିୟୁତ ଶିଶୁ ଅକାଳରେ ଜନ୍ମ ହୁଅନ୍ତି ଏବଂ ଜନ୍ମର କିଛି ସମୟ ପରେ ପ୍ରାୟ ୧ ନିୟୁତ ଶିଶୁଙ୍କର ମୃତ୍ୟୁ ଘଟିଥାଏ। ନୂତନ ଅନୁସନ୍ଧାନରୁ ଜଣାପଡିଛି ଗର୍ଭନାଳ କାଟିବା ପାଇଁ ୨ ମିନିଟ କିମ୍ବା ଅଧିକ ସମୟ ଅପେକ୍ଷା କରିବା ଏଭଳି ଶିଶୁମାନଙ୍କର ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଡକ୍ଟର ସେଡଲରଙ୍କ ଦଳ ୯୦୦୦ରୁ ଅଧିକ ପିଲାଙ୍କ ୬୦ଟି କ୍ଲିନିକାଲ ପରୀକ୍ଷଣରୁ ତଥ୍ୟ ଅନ୍ତର୍ଭୁକ୍ତ କରିଥିଲେ। ଜଣାପଡିଥିଲା ଯଦି ଜନ୍ମ ପରେ ଗର୍ଭନାଳ ୩୦ ସେକେଣ୍ଡ କିମ୍ବା ତା’ଠାରୁ ଅଧିକ ସମୟ ପରେ କଟାଯାଇଥାଏ, ତେବେ ଅକାଳ ଶିଶୁମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଏକ ତୃତୀୟାଂଶ ହ୍ରାସ ପାଇଥାଏ।

ପ୍ରଫେସର ଲିସା ଏସ୍କିଙ୍କ ଦଳ ୪୭, ୦୯୪ ପିଲାଙ୍କୁ ନେଇ ୪୭ ଟି କ୍ଲିନିକାଲ ଟ୍ରାଏଲର ତଥ୍ୟ ବିଶ୍ଳେଷଣ କରିଥିଲେ। ଏଥିରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଅତି କମରେ ଦୁଇ ମିନିଟ ଅପେକ୍ଷା କରିବା ପରେ ଗର୍ଭନାଳ କାଟିବା ଦ୍ୱାରା କେବଳ ନବଜାତ ଶିଶୁର ମୃତ୍ୟୁ ହାର କମିଯାଇଥାଏ। ଏହି ଅନୁସନ୍ଧାନ ନବଜାତ ଶିଶୁମାନଙ୍କ ବିଷୟରେ ଏକ ନୂତନ ଆଶା ସଞ୍ଚାର କରିଛି।

Share