Categories: ମେଟ୍ରୋ

ରୋଗୀଙ୍କୁ ପାଇପ୍‌ରେ ଅକ୍ସିଜେନ୍‌ ଯୋଗାଣ ବିଳମ୍ବିତ

ଭୁବନେଶ୍ୱର,୧୩।୭(ଅଭିଜିତ ଦାସ)ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଲାଗି ପ୍ରୟାସ ଜାରି ରହିଛି। ଇତିମଧ୍ୟରେ ମେଡିକାଲ କଲେଜ ଖୋଲାଯିବା ସହ ବିଭିନ୍ନ ବିଭାଗରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ହେଲେ ଏବେ ବି ହସ୍ପିଟାଲରେ ରୋଗୀମାନେ ଅକ୍ସିଜେନ ଲାଗି ସିଲିଣ୍ଡର ଉପରେ ନିର୍ଭର କରୁଛନ୍ତି। ଫଳରେ ଜରୁରିକାଳୀନ ପରିସ୍ଥିତିରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଛି। ତେଣୁ ସମସ୍ତ ବେଡ୍‌ ପାଖକୁ ପାଇପ୍‌ରେ ୨୪ ଘଣ୍ଟା ଅକ୍ସିଜେନ ଯୋଗାଣ ଲାଗି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ସହ ଏନେଇ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏଥିରେ ବହୁ ବିଳମ୍ବ ହେଉଛି। ଇତିମଧ୍ୟରେ ପାଇପ୍‌ ବିଛା କାମକୁ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ଏଯାଏ ୪୦ ପ୍ରତିଶତ ସରି ନ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତବର୍ଷ କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକରେ ରୋଗୀଙ୍କୁ ଅକ୍ସିଜେନ ଯୋଗାଣ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସମସ୍ତ ୱାର୍ଡର ବେଡ୍‌କୁ ପାଇପ୍‌ ଦ୍ୱାରା ଅକ୍ସିଜେନ ଯୋଗାଣ ଲାଗି ନିଷ୍ପତ୍ତି ହୋଇଥିଲା। ଏହି ପ୍ରକଳ୍ପ ଲାଗି ପ୍ରାୟ ୨କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ପୂର୍ତ୍ତ ବିଭାଗ ଗତ ଅଗଷ୍ଟରେ ଏହି କାମ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଅପରେଶନ ଥିଏଟର, ଆଇସିୟୁ, କାଜୁଆଲ୍‌ଟି, ପେଡିଆଟ୍ରିକ୍‌ କେୟାର ୟୁନିଟ୍‌ ସହ ଏସଏନ୍‌ସିୟୁରେ ଅକ୍ସିଜେନ ପାଇପିଂ କାର୍ଯ୍ୟ ଶେଷ ହୋଇଥିବାବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟ ଅଧା ରହିଛି। ସେହିପିର ମେଡିସିନ୍‌ ୱାର୍ଡ ସମେତ ଅନ୍ୟ ୫ରୁ ୬ଟି ବିଭାଗରେ କାମ ଆରମ୍ଭ କରାଯାଇନାହିଁ।
ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ପାଖାପାଖି ୬୦ ପ୍ରତିଶତରୁ ଅଧିକ କାର୍ଯ୍ୟ ସରିଛି। ପାଇପ୍‌ ଦ୍ୱାରା ଅକ୍ସିଜେନ୍‌ ସପ୍ଲାଇ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଛି। ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି। ନିର୍ଦ୍ଧାରିତ ସମୟରେ ହସ୍ପିଟାଲର ୮୦୦ ବେଡ୍‌କୁ ଅକ୍ସିଡେନ୍‌ ସପ୍ଲାଇ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଅଧିକାଂଶ ସଂଖ୍ୟକ ରୋଗୀ ମେଡିସିନ୍‌ ୱାର୍ଡରେ ଭର୍ତ୍ତି ହେଉଥିବାରୁ କାର୍ଯ୍ୟରେ ଟିକେ ବିଳମ୍ବ ହେଉଛି।

Share