ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଖାଲିଦା ପୋପାଲ। ଏହା ଦର୍ଶାଉଛି ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପୂରା ଆଫଗାନିସ୍ତାନକୁ କବ୍‌ଜା କରି ନେବା ପରେ ମହିଳାଙ୍କ ସ୍ଥିତି କ’ଣ।

କୋପେନହାଗେନରେ ରହୁଥିବା ଖାଲିଦା ରଏଟର୍ସକୁ ଏକ ସାକ୍ଷାତ୍‌କାରରେ କହିଛନ୍ତି, ତାଲିବାନ୍‌ ଶାସନରେ ମହିଳାଙ୍କୁ ହତ୍ୟା, ବଳାତ୍କାର ଓ ଟେକାମାଡ଼ର ସମ୍ମୁଖୀନ ହେବାକୁ ପଡ଼େ। ଏଥି ଯୋଗୁ ମହିଳା ଫୁଟ୍‌ବଲ ଖେଳାଳିଙ୍କୁ ଡରିବା ଦରକାର।

ସର୍ବଦା ଯୁବା ମହିଳାଙ୍କୁ ସ୍ବର ଉତ୍ତୋଳନ କରିବାକୁ ଉତ୍ସାହିତ କରୁଥିବା ଆଫଗାନ ମହିଳା ଫୁଟ୍‌ବଲ ଲିଗ୍‌ର ଉପ ପ୍ରତିଷ୍ଠାତା ଖାଲିଦା ଏବେ ଭିନ୍ନ କଥା କହୁଛନ୍ତି। ”ମୁଁ ଖେଳାଳିଙ୍କୁ ଫୋନ କରି ନାମ ଲୁଚାଇବାକୁ ପରାମର୍ଶ ଦେଇଛି। ଏପରି କି ଜାତୀୟ ଦଳର ୟୁନିଫର୍ମ ଜାଳି ଦେବାକୁ କହିଛି “ ବୋଲି ଖାଲିଦା କହିଛନ୍ତି।

୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଚାଲିଥିଲା। ସେତେବେଳେ ମହିଳାଙ୍କ କାମ କରିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ବାଳିକାଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯାଏ ନାହିଁ। ବାହାରକୁ ଯିବା ପାଇଁ ବୁର୍ଖା ପିନ୍ଧିବା ନିହାତି ଦରକାର। କେବଳ ପରିବାରର ପୁରୁଷଙ୍କ ସହ ମହିଳାମାନେ ଘରୁ ବାହାରି ପାରିବେ। ତେବେ ଇସ୍ଲାମିକ ଆଇନ ମଧ୍ୟରେ ରହି ମହିଳାଙ୍କ ଅଧିକାରକୁ ସମ୍ମାନ ଦିଆଯିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି।

Share