Categories: ଜାତୀୟ

ଗୁପ୍ତତଥ୍ୟ ପ୍ରଭାବିତ ହେଲେ ହ୍ବାଟସ୍‌ଆପ୍‌କୁ ଡିଲିଟ୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧: ହ୍ବାଟସ୍‌ଆପ୍‌ ଦ୍ୱାରା ଯଦି ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ପ୍ରଭାବିତ ହେଉଛି, ତେବେ ଏହାକୁ ସେମାନେ ଡିଲିଟ୍‌ କରିବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର ପ୍ରକାଶ କରିଛନ୍ତି। ଏହା ଏକ ପ୍ରାଇଭେଟ୍‌ ଆପ୍‌ । ମ୍ୟାପ୍‌ ଏବଂ ବ୍ରାଉଜରରେ ମଧ୍ୟ ବ୍ୟକ୍ତିଗତ ତଥ୍ୟ ଶେୟାର ହୋଇଥାଏ ବୋଲି କୋର୍ଟ କହିଛନ୍ତି। ଏଭଳି ଆପ୍‌ର ବ୍ୟବହାର କରିବେ କି ନାହିଁ ତାହାର ନିଷ୍ପତ୍ତି ବ୍ୟବହାରକାରୀ ହିଁ ନେବେ। ଏଭଳି ମନ୍ତବ୍ୟ ଦେଇ ହାଇକୋର୍ଟ ଆବେଦନକାରୀଙ୍କୁ କଡ଼ା ଟିପ୍ପଣୀ ଦେଇଛନ୍ତି। ହ୍ବାଟସ୍‌ଆପ୍‌ ପକ୍ଷରୁ ଅଣାଯାଇଥିବା ପ୍ରିଭେସି ପଲିସି ବିରୋଧରେ ଦାଖଲ ହୋଇଥିବା ମାମଲାର ଶୁଣାଣି ସମୟରେ କୋର୍ଟ ଏଭଳି କହିଛନ୍ତି। ଏଭଳି ଆପ୍‌ର ବ୍ୟବହାର ପୂର୍ବରୁ ଟର୍ମସ୍‌ ଏବଂ କଣ୍ଡିଶନ ଠିକ୍‌ ଭାବେ ପଢ଼ିନେବା ଆବଶ୍ୟକ ବୋଲି କୋର୍ଟ ଆବେଦନକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଗୁପ୍ତତଥ୍ୟ ସୁରକ୍ଷାର ଉଲ୍ଲଂଘନ ବୋଲି ବୋଲି ଦାଖଲ ହୋଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି। ହ୍ବାଟସ୍‌ଆପ୍‌ ପକ୍ଷରୁ ଆଇନଜୀବୀ ମୁକୁଲ ରୋହତୋଗୀ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ଯେଭଳି ଲିକ୍‌ ନ ହେବ ସେ ନେଇ ହ୍ବାଟସ୍‌ଆପ୍‌ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥାଏ। ସେହିପରି ହ୍ବାଟସ୍‌ଆପ୍‌ ପକ୍ଷରୁ ନିଯୁକ୍ତ ହୋଇଥିବା ଅନ୍ୟ ଆଇନଜୀବୀ କପିଲ ସିବଲ୍‌ ଏହି ଆବେଦନକୁ ଖାରଜ କରାଯିବା ଉଚିତ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାଲ ଚେତନ ଶର୍ମା ଏହି ମାମଲାରେ ତରବରିଆ ଭାବେ ନିଷ୍ପତ୍ତି ନ ନେବାକୁ କୋର୍ଟରେ କହିଥିଲେ। କୋର୍ଟ ମାମଲା ଉପରେ କୌଣସି ନୋଟିସ୍‌ ଜାରି ନ କରି ଏହା ଉପରେ ବିସ୍ତୃତ ଆଲୋଚନା ଜରୁରୀ ଥିବା କହିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୫ରେ କରାଯିବ।

Share