ନୂଆଦିଲ୍ଲୀ,୨୯।୧୧ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ର ସର୍ଭର ଲଗାତାର ୭ ଦିନ ପାଇଁ ଡାଉନ ରହିଛି। ଏହି କାରଣରୁ ଏମ୍ସର ସମସ୍ତ ସେବା ଅଫଲାଇନ ମାନୁଆଲ ମୋଡରେ ଚାଲିଛି। ୨୩ ନଭେମ୍ବର ସକାଳେ ଏସମ୍ପର୍କରେ ଜଣାପଡ଼ିଥିଲା। ଏହା ଯୋଗୁ ପ୍ରାୟ ୩ ରୁ ୪ କୋଟି ରୋଗୀଙ୍କ ତଥ୍ୟ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ସୂତ୍ରରୁ ପ୍ରକାଶ ଯେ ଜରୁରୀକାଳୀନ ୟୁନିଟରେ ରୋଗୀ ସେବା, ବାହ୍ୟ ରୋଗୀ, ରୋଗୀ ଭର୍ତ୍ତି ଏବଂ ଲାବୋରେଟୋରୀ ବିଭାଗରେ ସର୍ଭର ଡାଉନ ହୋଇଥିବାରୁ ଏସବୁ ବିଭାଗ କାଗଜପତ୍ରରେ ପରିଚାଳିତ ହେଉଛି। ଅନଲାଇନ ଆପଏଣ୍ଟମେଣ୍ଟ, ବିଲିଂ, ରିପୋର୍ଟ ଇତ୍ୟାଦି ସମ୍ବନ୍ଧରେ ବହୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ମାନୁଆଲ ମୋଡରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।
ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ, ଦିଲ୍ଲୀ ପୋଲିସ ଏବଂ ଗୃହ ମନ୍ତ୍ରଣାଳୟର ପ୍ରତିନିଧୀମାନେ ଏହି ରାମ୍ସୱେୟାର ଆକ୍ରମଣର ତଦନ୍ତ କରୁଛନ୍ତି। ନଭେମ୍ବର ୨୫ ରେ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେଶନ୍ସ (ଆଇଏଫଏସଓ) ୟୁନିଟ ଦ୍ୱାରା ବେଆଇନ ଟଙ୍କା ଆଦାୟ ଏବଂ ସାଇବର ଆତଙ୍କବାଦ ମାମଲା ପଞ୍ଜିକୃତ ହୋଇଥିଲା। ଦେଶର ସମସ୍ତ ବରିଷ୍ଠ ଗୁପ୍ତଚର ଏଜେନ୍ସି ଏମ୍ସ ପରିଦର୍ଶନ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ।
ସରକାରୀ ସୂତ୍ରରୁ ପ୍ରକାଶ ଏମ୍ସ ସର୍ଭରରେ ପୂର୍ବତନ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ଅମଲାତନ୍ତ୍ର ଏବଂ ବିଚାରପତିଙ୍କ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ତଥ୍ୟ ସଂରକ୍ଷଣ ହୋଇ ରହିଛି। ଏହା ଅନୁମାନ କରାଯାଉଛି ଯେ ଏମ୍ସର ସର୍ଭର ହ୍ୟାକ କରିବା ପାଇଁ ଏକ ବିଦେଶୀ ଷଡଯନ୍ତ୍ର ହୋଇଥାଇପାରେ। ତେବେ କୋଟି କୋଟି ରୋଗୀଙ୍କ ତଥ୍ୟ ନିଖୋଜ ହୋଇଯାଇଥିବା ଜାଣିବାକୁ ମିଳିଛି। ଏକ ସୂଚନା ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୩୮ ଲକ୍ଷ ରୋଗୀ ଏମ୍ସରେ ଚିକିତ୍ସିତ ହୋଇଥାନ୍ତି ।
ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ଦଳ ଏମ୍ସରେ ଅବସ୍ଥିତ ଅନ୍ୟ ଇ-ହସ୍ପିଟାଲ ସର୍ଭରରୁ ୍ସଂକ୍ରମଣ ସ୍କାନ କରୁଛନ୍ତି, ଯାହା ହସ୍ପିଟାଲ ସେବା ଯୋଗାଇବା ପାଇଁ ଜରୁରୀ ଅଟେ। ଇ-ହସ୍ପିଟାଲ ସେବାଗୁଡିକର ପୁନରୁଦ୍ଧାର ପାଇଁ ବ୍ୟବହୃତ ଚାରୋଟି ସର୍ଭରକୁ ସ୍କାନ କରାଯାଇଛି ଏବଂ ଡାଟାବେସ ଏବଂ ପ୍ରୟୋଗ ପାଇଁ ପ୍ରସ୍ତୁତ କରାଯାଇଛି। ସେମାନେ କହିଛନ୍ତି ଯେ, ନେଟୱାର୍କକୁ ଭାଇରସ ମୁକ୍ତ କରିବା ପାଇଁ କାର୍ଯ୍ୟ ଚାଲିଛି। ସର୍ଭର ଏବଂ କମ୍ପ୍ୟୁଟର ପାଇଁ ଆଣ୍ଟି-ଭାଇରସ ସମାଧାନ ପ୍ରଦାନ କରାଯାଇଛି। ଏହା ୫୦୦୦ କମ୍ପ୍ୟୁଟର ମଧ୍ୟରୁ ପ୍ରାୟ ୧୨୦୦ ରେ ସଂସ୍ଥାପିତ ହୋଇଛି।