Categories: ଜାତୀୟ

ରେକର୍ଡ ହେଲା ଆର୍ଯ୍ୟନଙ୍କ ବୟାନ

ନୂଆଦିଲ୍ଲୀ,୧୨।୧୧: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ବୟାନ ରେକର୍ଡ କରିଛି ନାର୍କୋଟିକ୍‌ ଏଜେନ୍ସିର ଦିଲ୍ଲୀ ୟୁନିଟ୍‌। ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଏନ୍‌ସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ଜଣେ ସାକ୍ଷୀ ବୟାନ ଦେବା ପରେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଭାର ଦିଲ୍ଲୀର ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ଦିଆଯାଇଥିଲା।

ନବି ମୁମ୍ବାଇସ୍ଥିତ ରାପିଡ୍‌ ଆକଶନ୍‌ ଫୋର୍ସର କ୍ୟାମ୍ପରେ ଆର୍ଯ୍ୟନଙ୍କ ବୟାନ ରେକର୍ଡ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି।

ଓ୍ବାଙ୍ଖଡେଙ୍କ ହାତରେ ଥିବା ଏଣ୍ଟରଟେନମେଣ୍ଟ ସେକ୍ଟର ସହ ଜଡ଼ିତ
୬ଟି ମାମଲ ଦିଲ୍ଲୀର ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ଦିଆଯାଇଛି। କ୍ରୁଜ-ଡ୍ରଗ୍ସ ମାମଲାରେ ଏନ୍‌ସିବିର ସାକ୍ଷୀ ପ୍ରଭାକର ସୈଲଙ୍କ ବୟାନ ସାମ୍ନାକୁ ଆସିବା ପରେ ଓ୍ବାଙ୍ଖଡେଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ।

ସୈଲଙ୍କ ଅଭିଯୋଗ ଅନୁଯାୟୀ, ସେ ଅନ୍ୟତମ ସାକ୍ଷୀ କେ ପି ଗୋସାଭି ଓ ସାମ ଡି’ସୁଜା ଏବଂ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ମଧ୍ୟରେ ଫୋନ ଦ୍ୱାରା ହୋଇଥିବା ବାର୍ତ୍ତାଳାପ ଶୁଣିଥିଲେ। ସେମାନେ ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ଦାବି କରିଥିଲେ ୧୮ କୋଟି ଟଙ୍କା। ସେଥିରୁ ୮ କୋଟି ଟଙ୍କା ନେଇଥାନ୍ତେ ଓ୍ବାଙ୍ଖଡେ। ଉଲ୍ଲେଖଯୋଗ୍ୟ, ଜେଲରେ ୨୨ ଦିନ ରହିବା ପରେ ଆର୍ଯ୍ୟନଙ୍କ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ।

Share