Categories: ଜାତୀୟ

ପୀଡ଼ିତା ପରିବାରଙ୍କୁ ଭେଟିବାକୁ ଯାଇ ବିରୋଧର ସମ୍ମୁଖୀନ ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୪।୮: ସନ୍ଦେହଜନକ ପରିସ୍ଥିତିରେ ଦିଲ୍ଲୀର କ୍ୟାଣ୍ଟ ଅଞ୍ଚଳର ଜଣେ ୯ବର୍ଷର ନାବାଳିକାର ମୃତ୍ୟୁ ହେବା ପରେ ଏବେ ମାମଲା ସରଗରମ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି। ପୀଡିତାଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ନିବେଦନ କରାଯାଇଛି। ଇତିମଧ୍ୟରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ପହଞ୍ଚିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା। କେତେକ ଲୋକ କେଜରିଓ୍ବାଲଙ୍କୁ ବିରୋଧ କରିଥିଲେ। ତେବେ ଏହି ପ୍ରତିବାଦ ସତ୍ତ୍ୱେ ମଧ୍ୟ ଅରବିନ୍ଦ କେଜରିଓ୍ବାଲ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ପୀଡିତାଙ୍କ ପରିବାରକୁ ଭେଟିବା ସେ ମଞ୍ଚ ଉପରକୁ ଯାଇଥିଲେ। ହେଲେ ସେଠାରେ ପ୍ରବଳ ଭିଡ ଥିବା ବେଳେ ମଞ୍ଚ ଉପରୁ ଓହ୍ଲାଇବା ସମୟରେ ମୁଖ୍ୟମନ୍ତ୍ରୀ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ସମ୍ଭାଳି ନେଇଥିଲେ। ଏହାପରେ କେଜରିଓ୍ବାଲ କାର୍‌ରେ ବସି ସେଠାରୁ ଚାଲିଯାଇଥିଲେ। ଅନ୍ୟପଟେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସେମାନଙ୍କର କ୍ଷତି ଅପୂରଣୀୟ କିନ୍ତୁ ଦିଲ୍ଲୀ ସରକାର ସେମାନଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଏବେ ଏହି ମାମଲାର ମାଜିଷ୍ଟ୍ରେଟ ତଦନ୍ତ ହେବ ଏବଂ ସରକାରଙ୍କ ପକ୍ଷରୁ ବଡ଼ ଓକିଲଙ୍କୁ ନିଯୁକ୍ତ କରାଯିବ। ଯାହାଦ୍ୱାରା ଦୋଷୀଙ୍କୁ କଠୋର ଦଣ୍ଡ ମିଳିପାରିବ ବୋଲି କେଜରିଓ୍ବାଲ କହିଛନ୍ତି।

Share