Categories: ଖେଳ

ମାରିବାକୁ ଚାହୁଁଥିଲେ ବାପା, କୋଳେଇ ନେଇଥିଲେ ମା’; ଲୁହ ଆଣିଦେବ ଏହି ଆଇପିଏଲ୍‌ର ଷ୍ଟାରଙ୍କ କାହାଣୀ…

ନୂଆଦିଲ୍ଲୀ,୬।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଦମ୍‌ଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ଓ୍ବେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ରୋଭମାନ ପାଓ୍ବେଲ। ସେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରୋଭମାନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଲ୍ଲେଖନୀୟ ବ୍ୟାଟିଂ କରି ଦଳକୁ ୨୧ରନ୍‌ରେ ବିଜେତା କରାଇଥିଲେ। ସେ ୩୭ ବଲ୍‌ରେ ୬୭ ରନ୍‌ କରିଥିଲେ।

୨୮ ବର୍ଷୀୟ ରୋଭମାନଙ୍କୁ ଦିଲ୍ଲୀ ୨.୮୦ କୋଟି ଟଙ୍କାରେ କିଣିଛି। ଆଜିକାଲି ବେଶ୍‌ ଚାକଚକ୍ୟ ଭରା ଜୀବନ ଅତିବାହିତ କରୁଥିବା ଏହି କ୍ରିକେଟରଙ୍କ ପିଲାଦିନ ବେଶ ସଂଘର୍ଷମୟ ଥିଲା। କାରଣ ତାଙ୍କ କାହାଣୀ ଯିଏ ବି ଶୁଣିଛି, ଚକିତ ହୋଇଯାଇଛି।
ରୋଭମାନ ଯେତେବେଳେ ତାଙ୍କ ମା’ଙ୍କ ଗର୍ଭରେ ଥିଲେ , ସେତେବେଳେ ତାଙ୍କ ବାପା ତାଙ୍କୁ ମାରିବାକୁ ଚାହୁଁଥିଲେ। ହେଲେ ମା’ ରାଜି ହୋଇ ନ ଥିଲେ। ସେ ପିଲାକୁ ଜନ୍ମଦେବା ସହ ଏକାକି ପାଳିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେହି ପିଲା ନିଜ ଦେଶର ଗୌରବ ପାଲଟିଛି।

ରୋଭମାନଙ୍କ ଜଣେ ଭଉଣୀ ଅଛନ୍ତି। ଉଭୟଙ୍କୁ ପାଠ ପଢ଼ାଇବା ଲାଗି ତାଙ୍କ ମା’ ଘର ଘର ବୁଲି ପୋଷାକ ଧୋଇଛନ୍ତି। ସ୍କୁଲରେ ପଢ଼ୁଥିବା ସମୟରେ ରୋଭମାନ ନିଜ ମା’ଙ୍କ କଷ୍ଟ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ସେ ପରିଶ୍ରମ କରିଆସୁଛନ୍ତି। ୨୦୧୯ରେ ସେ ନିଜ ମା’ଙ୍କୁ ଏକ କାର୍‌ ଉପହାରରେ ଦେଇଛନ୍ତି।

ରୋଭମାନ ନିଜ ମା’ଙ୍କୁ ପିତା ଭଳି ସମ୍ମାନ ମଧ୍ୟ ଦିଅନ୍ତି। ଯେତେବେଳେ ସେ କଷ୍ଟକର ପରିସ୍ଥିତି ଦେଇ ଗତି କରିଥାନ୍ତି ସେତେବେଳେ ସବୁକିଛି ନିଜର ପରିବାର ଲାଗି କରୁଥିବା ନିଜକୁ ମନେ ପକାଇ ଦେଇଥାନ୍ତି। ଏହା ହିଁ ତାଙ୍କ ପାଇଁ ପ୍ରେରଣା ପାଲଟେ। ଏହିଭଳି ସେ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ହୋଇଯାନ୍ତି ବୋଲି କୁହନ୍ତି।

Share