ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ପ୍ରକୋପ: ଆଇସୋଲେଶନରେ ରିକି ପଣ୍ଟିଂ

ମୁମ୍ବାଇ,୨୨।୪: କରୋନା ପ୍ରକୋପ ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ ଟିମ୍‌ର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ବିନା ଖେଳାଯିବ। କାରଣ ରିକିଙ୍କ ପରିବାରର ଜଣେ ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସୁରକ୍ଷା ଦୃଷ୍ଟିରୁ ପଣ୍ଟିଂଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଅନ୍ୟପଟେ ଶୁକ୍ରବାର ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି। ପଣ୍ଟିଂ ନିଜେ ୨ଥର କରୋନା ପରୀକ୍ଷା କରାଇଥିବା ବେଳେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। କିନ୍ତୁ ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି ମ୍ୟାନେଜମେଣ୍ଟ ଏବଂ ମେଡିକାଲ ଟିମ୍‌ ପଣ୍ଟିଂ ୫ଦିନ ଯାଏ ଆଇଶୋଲେଟ୍‌ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କାରଣ ସେ ତାଙ୍କ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଶୁକ୍ରବାର ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ପଡ଼ିଆରେ ଉପସ୍ଥିତ ରହିବେ ନାହିଁ। ବାୟୋ-ବବୁଲରେ ପଜିଟିଭ ଥିବା ସମସ୍ତ ବ୍ୟକ୍ତିଙ୍କ ସ୍ଥିତି ଉପରେ ନଜର ରଖାଯାଉଛି। ଏତଦ୍‌ବ୍ୟତୀତ ଦଳ ସମସ୍ତଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ବୋଲି ପ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, ଦିଲ୍ଲୀ କ୍ୟାପିଟାଲ୍ସରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ଟି କରୋନା ମାମଲା ସାମ୍ନାକୁ ଆସିସାରିଛି।

 

Share