Advertisement

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା; ଏହି କାରଣ ଲାଗି ଆଇପିଏଲ୍‌ରୁ ଓହରିଗଲେ ଅମିତ୍‌ ମିଶ୍ରା

ଦୁବାଇ, ୫।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଇତିମଧ୍ୟରେ ୧୫ ଦିନ ବିତି ସାରିଥିବାବେଳେ ଟୁର୍ନାମେଣ୍ଟ ଏବେ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ତେବେ ଏଭଳି ଏକ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ବଡ଼ ଝଟ୍‌କା ଲାଗିଛି। ଲେଗ୍‌-ସ୍ପିନର ଅମିତ୍‌ ମିଶ୍ରା ସିଜନର ବଳକା ମ୍ୟାଚ୍‌ରେ ଆଉ ଖେଳିପାରିବେ ନାହିଁ। ଅମିତ୍‌ଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଆଇପିଏଲ୍‌ର ଚଳିତ ସିଜନରୁ ବାହାରି ଯାଇଛନ୍ତି। ଫଳରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟାସ ଆୟାରଙ୍କ ଦଳକୁ ଝଟ୍‌କା ଲାଗିଛି। କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ୩୭ ବର୍ଷୀୟ ମିଶ୍ରା ବୋଲିଂ କରୁଥିବାବେଳେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ନୀତୀଶ ରାଣା ଏକ ରିଟର୍ନ ଶଟ୍‌ ମାରିଥିଲେ। ଯାହାକୁ ଧରିବାବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା।
ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ହାସଲକାରୀ ବୋଲର ତାଲିକାରେ ଅମିତ୍‌ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ସୁଦ୍ଧା ୧୫୦ ମ୍ୟାଚ୍‌ ଖେଳି ସେ ୧୬୦ ଉଇକେଟ୍‌ ନେଇଛନ୍ତି। ଆଇପିଏଲ୍‌ରେ ସର୍ବାଧିକ ଉଇକେଟ୍‌ ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗା (୧୭୦ ଉଇକେଟ୍‌)ଠାରୁ ୧୦ ଉଇକେଟ୍‌ ପଛରେ ରହିଛନ୍ତି।