ନୂଆଦିଲ୍ଲୀ,୬।୮: ଟୋକିଓରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରଦର୍ଶନ ଉଚ୍ଚକୋଟିର ରହିଥିଲା। ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ଧରି ଚାଲିଆସିଥିବା ପଦକ ଶୂନ୍ୟତାକୁ ଦୂର କରିଥିବା ବେଳେ ମହିଳା ହକି ଦଳକୁ ନିରାଶ ହେବାକୁ ପଡ଼ିଥିଲା। ହେଲେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିବାରୁ ମହିଳା ହକି ଟିମ୍କୁ ପ୍ରଶଂସା କରାଯାଉଛି। ଏଥିସହ ପୁରୁଷ ଟିମ୍ର ବ୍ରୋଞ୍ଚ ପଦକ ହାସଲକୁ ନେଇ ସମଗ୍ର ଭାରତରେ ଉଲ୍ଲାସ ଦେଖିବାକୁ ମିଳିଛି। କହିବାକୁ ଗଲେ କ୍ରିକେଟ ପ୍ରେମୀ ଭାରତୀୟମାନେ ଏବେ ହକି ପ୍ରେମରେ ପଡ଼ିଯାଇଛନ୍ତି। ଗୁରୁବାର ଗୌତମ ଗମ୍ଭୀର କ୍ରିକେଟର ଟ୍ରଫି ନୁହେଁ ବରଂ ଏହି ପଦକ ବେଶ ବଡ଼ ବୋଲି ଟୁଇଟ୍ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏବେ ଆଇପିଏଲ୍ ଟିମ୍ ‘ଦିଲ୍ଲୀ କ୍ୟାପିଟାଲ୍ସ’ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନାମ ସହ ବାୟୋ ପରିବର୍ତ୍ତନ କରିଛି। ଏହା ଏକ ଭାରତୀୟ ହକିର ପ୍ରଶଂସକର ଆକାଉଣ୍ଟ ବୋଲି ଫ୍ରାଞ୍ଚାଇଜ୍ ପକ୍ଷରୁ କୁହାଯାଇଛି।