ଦୁବାଇ, ୨୭।୮: ବିଶ୍ୱର ଶ୍ରେଷ୍ଠ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ତେବେ ଏଥିପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଝଟ୍କା ଲାଗିଛି। ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ତଥା ଇଂଲଣ୍ଡ ଷ୍ଟାର୍ ଜାସନ ରୟ ଆଘାତଜନିତ କାରଣ ଲାଗି ଆଇପିଏଲ୍ର ଚଳିତ ସଂସ୍କରଣରୁ ଓହରି ଯାଇଛନ୍ତି। ଜାନସ ରୟଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ଡାନିଏଲ୍ ସାମ୍ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ସିଜନ ପାଇଁ ଦଳରେ ସାମିଲ କରାଯାଇଛି। ଦ୍ୱିତୀୟ ଇଂଲଣ୍ଡ କ୍ରିକେଟର୍ ଭାବେ ରାୟ ଚଳିତ ଆଇପିଏଲ୍ରୁ ଓହରି ଯାଇଛନ୍ତି। ଏଥିପୂର୍ବରୁ କ୍ରିସ୍ ଓ୍ବକ୍ସ ମଧ୍ୟ ଆଇପିଏଲ୍-୧୩ ଖେଳିବେନି ବୋଲି ଘୋଷଣା କରିଥିଲେ। ଓ୍ବକ୍ସ ମଧ୍ୟ ଦିଲ୍ଲୀ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ଉଲ୍ଲେଖଯୋଗ୍ୟ, ଆଘାତଜନିତ ସମସ୍ୟା ଲାଗି ସୀମିତ ଓଭର ଫର୍ମାଟ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାସନ ପାକିସ୍ତାନ ବିପକ୍ଷ ଆଗାମୀ ଟି୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି ବୋଲି ଇଂଲଣ୍ଡ ଆଣ୍ଡ୍ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି।