୨୨୩ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର। ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ଓଭରରେ ୨ଟି ଓ୍ବିକେଟ ହରାଇ ୨୨୨ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୨୩ରନ୍‌ର ଟାର୍ଗେଟ ଦେଇଛି ରାଜସ୍ଥାନ। ଟସ୍‌ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ଓପନିଂ ଯୋଡ଼ିରେ ଶତକୀୟ ଭାଗୀଦାରି ଗଢ଼ି ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ରାଜସ୍ଥାନର ଦୁଇ ଓପନର ଜୋଶ ବୋଲଟର ଓ ଦେବଦତ୍ତ ପଡିକାଲ ବ୍ୟାଟିଂ କରିବାକୁ ଆସିଥିଲେ। ଜୋଶ୍‌ ବଟଲର ଓ ଦେବଦତ୍ତ ପଡ଼ିକାଲ ଦିଲ୍ଲୀ ବୋଲରଙ୍କୁ ଧୁଲେଇ କରି ପ୍ରଥମ ଉଇକେଟରେ ୯୧ ବଲ୍‌ରୁ ୧୫୫ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ୨୦୧୫ ପରେ ଆଇପିଏଲ୍‌ରେ ଏହାଥିଲା ପ୍ରଥମ ଶତକୀୟ ଓପନିଂ ଭାଗୀଦାରି। ୧୬ତମ ଓଭରର ପ୍ରଥମ ବଲ୍‌ରେ ପଡିକାଲ (୫୪ ରନ, ୩୫ ବଲ, ୭ ଚୌକା, ୨ ଛକା)ଙ୍କୁ ଆଉଟ କରି ଦିଲ୍ଲୀକୁ ବହୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଖଲିଲ ଅହମଦ। ବଟଲର କିନ୍ତୁ ଚମତ୍କାର ଫର୍ମ ବଜାୟ ରଖି ୬୫ ବଲ୍‌ରୁ ୯ଟି ଲେଖାଏ ଚୌକା ଓ ଛକା ସହାୟତାରେ ୧୧୬ ରନ ସ୍କୋର କରିଥିଲେ। ତେବେ ଚଳିତ ଆଇପିଏଲ୍‌ରେ ଏହାଥିଲା ତାଙ୍କର ତୃତୀୟ ଶତକ। ଶେଷ ଭାଗରେ ଅଧିନାୟକ ସଞ୍ଜୁ ସାମସନ ଖେଳିଥିଲେ ଷ୍ଟ୍ରୋକପୂର୍ଣ୍ଣ ଇନିଂସ। ସେ ମାତ୍ର ୧୯ ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ ୪୬ ରନରେ ଅପରାଜିତ ରହିବାରୁ ରାଜସ୍ଥାନ ସ୍କୋର ୨୨୨ରେ ପହଞ୍ଚିଥିଲା। ଚଳିତ ସିଜନରେ ଏହା ଦଳଗତ ସର୍ବାଧିକ ସ୍କୋର। ଏ କ୍ଷେତ୍ରରେ ରାଜସ୍ଥାନ ନିଜ ରେକର୍ଡ (୨୧୬ ରନ) ରେକର୍ଡ ଭାଙ୍ଗିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖଲିଲ ଅହମଦ ଓ ମୁସ୍ତାଫିଜୁର ରହମନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୨୨/୨ (ଜୋଶ୍‌ ବଟଲର-୧୧୬, ଦେବଦତ୍ତ ପଡିକାଲ-୫୪, ସଞ୍ଜୁ ସାମସନ-୪୬*, ଖଲିଲ ଅହମଦ-୧/୪୭, ମୁସ୍ତାଫିଜୁର ରହମନ-୧/୪୩)।

Share