ନୂଆଦିଲ୍ଲୀ,୧୪।୯: ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍ଯୁଦ୍ଧ ଥମିବାର ନାଁ ଧରୁନି। ଗୋଆରେ କଂଗ୍ରେସ ବିଧାୟକ ଭାଜପାରେ ଯୋଗଦାନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ। ସେ କହିଛନ୍ତି, ଦିଲ୍ଲୀ ପରେ ଏହି ଲୋକମାନେ (ଭାଜପା) ଏଏପିର ବିଧାୟକଙ୍କୁ କିଣିବା ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି। ଏମାନଙ୍କ ପାଖରେ ହଜାର ହଜାର କୋଟି ଟଙ୍କା କେଉଁଠୁ ଆସୁଛି। ଏମାନେ ବୁଝିଯାଆନ୍ତୁ ଯେ, ଆମେ କଂଗ୍ରେସ ନୁହେଁ, ଆମକୁ କିଣିବା ସହଜ ମଧ୍ୟ ନୁହେଁ।
କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ଭାଜପା ଅନ୍ୟ ଦଳର ବିଧାୟକଙ୍କୁ କିଣିବା ଲାଗି ସବୁବେଳେ ଚେଷ୍ଟା କରି ଆସୁଛି । ପଞ୍ଜାବରେ ମଧ୍ୟ ଏଏପିର ୧୦ ବିଧାୟକଙ୍କୁ ଯୋଗାଯୋଗ କରି ନିଜ ଆଡ଼କୁ ନେବା ପାଇଁ ଭାଜପା ପ୍ରୟାସ କରିଥିଲା। ଦିଲ୍ଲୀରେ ମଧ୍ୟ ସମାନ ଚେଷ୍ଟା କରି ଭାଜପା ବିଫଳ ହୋଇଥିଲା।
ସୂଚନାଯୋଗ୍ୟ, ବୁଧବାର ଗୋଆରେ ବଡ଼ ରାଜନୈତିକ ଓଲଟପାଲଟ ଦେଖିବାକୁ ମିଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ କଂଗ୍ରେସ ଛାଡି ଭାଜପାରେ ଯୋଗଦେଇଥିଲେ।